୫ ଗ୍ରାମକୁ ରାଜସ୍ବ ଗ୍ରାମ ମାନ୍ୟତା ଦାବି

କେନ୍ଦୁଝର,୧୨ା୯(ସ୍ବ.ପ୍ର.): ହାଟଡିହି ବ୍ଲକ ଅନ୍ତର୍ଗତ ହଦଗଡ଼ ସଂରକ୍ଷିତ ଜଙ୍ଗଲ ପରିସରରେ ଥିବା କଅଁଳେଇ ବାଲିପାଳ ପଞ୍ଚାୟତର ମଲ୍ଲିପଶି, ସରମଣ୍ଡି, କଅଁଳେଇ ବାଲିପାଳ, ମୟୁରନଚା ଓ ଭଅଁରା ଜଙ୍ଗଲ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବାକୁ ପଞ୍ଚାୟତବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି। ସ୍ଥାନୀୟ ସରପଞ୍ଚ ଓ ପ୍ରତ୍ୟେକ ଜଙ୍ଗଲ ଗ୍ରାମର ଓ୍ବାର୍ଡମେମ୍ବର, ଜଙ୍ଗଲ କମିଟି ସଦସ୍ୟ ତଥା ଗ୍ରାମବାସୀ ଜିଲାପାଳ ଆଶିଷ ଠାକରେଙ୍କୁ ଲିଖିତ ଭାବେ ଜଣାଇ ଦାବି କରିଛନ୍ତି। ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ସମସ୍ତ ଜଙ୍ଗଲ ଗ୍ରାମ ଓ ପୁରାତନ ବସତି, ସର୍ବେକ୍ଷଣ ହୋଇନଥିବା ଗ୍ରାମ ତଥା ଜଙ୍ଗଲ ମଧ୍ୟରେ ଥିବା ଗ୍ରାମଗୁଡିକୁ ରାଜସ୍ବ ଗ୍ରାମର ପରିବର୍ତ୍ତନ ଓ ବନ୍ଦୋବସ୍ତର ଅଧିକାର ଦେବା ବ୍ୟବସ୍ଥା ରହିଛି। ତେବେ ଏନେଇ ପ୍ରଶାସନ ପକ୍ଷରୁ କାୈଣସି ପଦକ୍ଷେପ ନିଆନଯିବାରୁ ସେମାନେ ଜାତୀୟ ଏସ୍‌ଟି କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହଦଗଡ଼ ଜଳଭଣ୍ଡାର ଦ୍ୱାରା କ୍ଷତିଗ୍ରସ୍ତ ହୋଇ ଜମିଜମା, ଘରବାଡି ହରାଇ ଜଙ୍ଗଲାଞ୍ଚଳରେ ଦୀର୍ଘ ପ୍ରାୟ ୫୦ବର୍ଷ ଧରି ଏଣେତେଣେ ପୂର୍ବଗ୍ରାମ ନାମରେ ରହିଆସୁଥିଲେ ହେଁ ସେସବୁ ଗ୍ରାମକୁ ବାରମ୍ବାର ଦାବି ସତ୍ୱେ ଏବଂ ଗ୍ରାମସଭା ନିଷ୍ପତି ସତ୍ୱେ ରାଜସ୍ବ ଗ୍ରାମର ମାନ୍ୟତା ମିଳୁନଥିବାରୁ ଅବହେଳିତ ଜୀବନ କାଟୁଛନ୍ତି। ଫଳରେ ସେମାନଙ୍କୁ ମାୈଳିକ ସୁବିଧା ସୁଯୋଗ ମିଳୁନାହିଁୂ ବୋଲି କଅଁଳେଇ ବାଲିପାଳ ଗ୍ରାମର ବୁଧିରାମ ପୂର୍ତ୍ତି କହିଛନ୍ତି।
ଏହି ପାଞ୍ଚଟି ଗ୍ରାମରେ ସମୁଦାୟ ୭୬୦ ପରିବାର ବସବାସ କରୁଥିବା ବେଳେ ସେମାନଙ୍କ ନାମରେ ପ୍ରାୟ ୧ ରୁ ୧୦ ଏକର ପର୍ଯ୍ୟନ୍ତ ଜଙ୍ଗଲଜମି ଅଧିକାର ରହିଥିବା ଜଣାପଡିଛି। ତେବେ ଉକ୍ତ ଜମି ଉପରେ କାୈଣସି ଘରବାଡି ନ ଥିବାରୁ ଭୂମିହୀନ ଜୀବନ କାଟୁଛନ୍ତି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କା ଘର ଯୋଜନାରେ ସୁଫଳ ପାଇନଥିବାରୁ ଭଙ୍ଗାଦଦରା ଘରେ ବିପଦପୂର୍ଣ୍ଣ ଅବସ୍ଥାରେ ରହୁଥିବା କହିଛନ୍ତି।
ପିଲାମାନେ ଉଚ୍ଚ ଶିକ୍ଷାରୁ ବଞ୍ଚତ୍ତ ରହୁଛନ୍ତି।ଏଣୁ ପଦକ୍ଷେପ ଗ୍ରହଣ କରି ନିୟମାନୁଯାୟୀ ରାଜସ୍ବ ଗ୍ରାମର ମାନ୍ୟତା ଦେଇ ଉକ୍ତ ଅଞ୍ଚଳ ତଥା ସେମାନଙ୍କ ବିକାଶ କରିବାକୁ ନିବେଦନ କରିଛନ୍ତି।