କେନ୍ଦୁଝରରେ ପାହାଡ଼ିଆ ଓଲୁଅର ଚାହିଦା

କେନ୍ଦୁଝର, ୧୫ା୧୧(ସ୍ବ.ପ୍ର.)  ଓଲୁଅ ହେଉଛି ମୂଳ ଜାତୀୟ ଖାଦ୍ୟ। ଏଥିରେ ଔଷଧୀୟ ଗୁଣ ରହିଛି, ଏଣୁ ସ୍ବାସ୍ଥ୍ୟ ପକ୍ଷେ ହିତକର। ଏହା ମଧ୍ୟ ସୁସ୍ବାଦୁ।
ପ୍ରାକୃତିକ ପରିବେଶରେ ବିନା ସାରରେ ମିଳୁଥିବାରୁ ଏହାର ଚାହିଦା ରହିଛି। ବିଶେଷ କରି ପାହାଡରୁ ବନବାସୀ ମାନେ ଏହି ଓଲୁଅ ଆଣି କେନ୍ଦୁଝର ସହର ତଥା ହାଟବଜାରରେ ବିକି ଦୁଇ ପଇସା ରୋଜଗାର କରିଥାନ୍ତି। ତେବେ ବଜାରରେ ଏହା ଗୋଟା ୨୦ ଟଙ୍କାରୁ ଆରମ୍ଭ କରି ସାଇଜ ଅନୁଯାୟୀ ଏହାର ମୂଲ୍ୟ ୩୦୦ ଟଙ୍କା ପର୍ଯ୍ୟନ୍ତରେ ବିକ୍ରି ହୋଇଥାଏ। ଏହାର ଚାହିଦା ମଧ୍ୟ ବଡ଼ ବଡ଼ ସହରରେ ଅଧିକ ରହିଛି। ଏଣୁ ବେପାରୀ ମାନେ କମ୍‌ ଦାମରେ କିଣି କଟକ, ଭୁବନେଶ୍ୱର ଆଦି ସହରକୁ ଚାଲାଣ କରି ଅଧିକ ଲାଭବାନ ହୋଇଥାନ୍ତି। ଏହା ସାଧାରଣତଃ କୁଣ୍ଡେଇ ହୋଇଥାଏ। ଏଣୁ ଏହାକୁ ସିଝାଇ ତେନ୍ତୁଳି ମିଶାଇ ଭର୍ତ୍ତା କରି ଖାଇଥାନ୍ତି। ଅନେକ ଏହାକୁ ଭାଜି କରି ଖାଇବାକୁ ଭଲ ପାଇଥାନ୍ତି। ବିଶେଷ କରି ଅର୍ଶ ରୋଗ ପାଇଁ ଏହା ଔଷଧ ଭଳି କାମ କରିଥାଏ ବୋଲି ବୈଦ ବିଶାରଦ ହରେକୃଷ୍ଣ ମହାନ୍ତ କହିଛନ୍ତି।