ନୂଆପଡ଼ା,୧୩ା୧୧(ମକାରୁ ବେମାଲ): ରାଜଧାନୀ ଭୁବନେଶ୍ୱରରେ ନୂଆପଡ଼ା ଆତର ଚାହିଦା ଦେଖିବାକୁ ମିଳିଛି। କୋମନା ବ୍ଲକ ଅଞ୍ଚଳର ବିଭିନ୍ନ ଗାଁରୁ ଯାଉଥିବା ସୁଆଦିଆ ଫଳ ଆତ (ରେକଟା, ବଡହଳ) ଏବେ ରାଜଧାନୀ ବାସୀଙ୍କ ପ୍ରଥମ ପସନ୍ଦ ପାଲଟିଛି। ବ୍ଲକ ଅନ୍ତର୍ଗତ ଲଖନା, ଠିକପାଲି, ନୂଆଗାଁ, କାଣ୍ଡେତରା, ଗଣ୍ଡାମେର, ଦର୍ଲିପଡା, ସିଆଲଲଟ, ସମରସିଂ ପଞ୍ଚାୟତର ଗଁାଗୁଡିକରୁ ପ୍ରତିଦିନ ଟ୍ରିପ ଟ୍ରିପ ଆତ ରାଜଧାନୀ ବଜାରକୁ ଯାଉଛି ।
ଚଳିତବର୍ଷ ଅନୁକୂଳ ପାଣିପାଗ ଯୋଗୁ ପ୍ରଚୁର ପରିମାଣରେ ଆତ ଅମଳ ହୋଇଛି। ହେଲେ ଏଠାରେ ମଣ୍ଡି କିମ୍ବା ବଜାର ବ୍ୟବସ୍ଥା ନ ଥିବାରୁ ଚାଷୀ ଶାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବାହାର କୋଚିଆ ଆସି ଚାଷୀଙ୍କଠାରୁ କିଲୋ ପ୍ରତି ୨୦ ଟଙ୍କା ଦରରେ କିଣି ନେଉଛନ୍ତି। ଫଳରେ ଜିଲାର ଛୋଟ ବ୍ୟବସାୟୀ ଆବଶ୍ୟକ ଆତ ପାଇ ପାରୁନାହାନ୍ତି। ସେମାନେ କ୍ଷୁଦ୍ର ଚାଷୀଙ୍କୁ ଯୋଗାଯୋଗ କରି କମ ପରିମାଣରେ ପାଉଥିବାରୁ ତାହାକୁ ଚଢା ଦରରେ କିଲୋ ପ୍ରତି ୪୦ରୁ ୫୦ ଟଙ୍କାରେ ବିକ୍ରି କରୁଛନ୍ତି । ପ୍ରତିଦିନ ସକାଳ ୯ଟାରୁ ବଲାଙ୍ଗୀର ଓ ବରଗଡ ଜିଲାର କୋଚିଆମାନେ ପିକଅପ ଭ୍ୟାନରେ ଆସି ବିଭିନ୍ନ ସ୍ଥାନରେ କ୍ୟାମ୍ପ କରି ବସି ରହନ୍ତି।
ସ୍ଥାନୀୟ ଚାଷୀଙ୍କ ଆତ ଆସିବା ମାତ୍ରେ ସେମାନେ କିଣି ନେଇଥାନ୍ତି। ବଡ ଆକାରର ଫଳକୁ କିଲୋ ପ୍ରତି ୨୦ ଟଙ୍କା, ମଧ୍ୟମକୁ ୧୦ରୁ ୧୫ ଟଙ୍କା ଦେଉଥିବା ବେଳେ ଅତି ଛୋଟ ଫଳକୁ ଫେରାଇ ଦେଉଥିବାରୁ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି। ସେହି ଫେରାଇ ନେଇଥିବା ଛୋଟ ଫଳକୁ ଗାଁରେ ବୁଲି ବୁଲି ୪ରୁ ୫ଟଙ୍କାରେ ବିକ୍ରୟ କରୁଛନ୍ତି।
ଏକସଙ୍ଗେ ଟଙ୍କା ମିଳିଯାଉଥିବାରୁ କମ ଦରରେ କୋଚିଆଠାରେ ବିକ୍ରୟ କରିବାକୁ ବାଧ୍ୟ ହେଉଛୁ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଏହି ଫଳର ବିଶେଷତ୍ୱ ହେଉଛି, ଏହା ଉତ୍କୃଷ୍ଟ ମାନର। ବିନା ରାସାୟନିକ ପଦାର୍ଥ ବ୍ୟବହାରରେ ଏହା ଅମଳ ହେଉଛି। ପୁଣି ପ୍ରାକୃତିକ ଭାବରେ ଗଛରେ ପାଚିଥାଏ। ଏହାର ମଞ୍ଜି ତୁଳନାରେ ଶସ (ଗୁଦାଲ) ଅଧିକ ସ୍ବାଦଯୁକ୍ତ। ରାଜଧାନୀ ଭଳି ବୃହତ୍ ବଜାର ସହିତ କୋଚିଆମାନେ ସିଧାସଳଖ ଯୋଗାଯୋଗ ରଖି ଚାଷୀଙ୍କଠାରୁ ନଗଦ ଟଙ୍କା ଦେଇ ପେଟି ପେଟି ଆତ ପଠାଉଛନ୍ତି। ଏହା ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନଯୁକ୍ତ ତଥା ଖଣିଜ ଲବଣରେ ଭରପୁର ହୋଇଥିବାରୁ ସଚେତନ ଲୋକଙ୍କ ମଧ୍ୟରେ ଏହାର ବିଶେଷ ଚାହିଦା ରହିଛି। ଜିଲାର କୋମନା ବ୍ୟତୀତ ଅନ୍ୟ ବ୍ଲକରେ ମଧ୍ୟ ପ୍ରଚୁର ପରିମାଣରେ ଆତ ଉପତ୍ାଦନ ହେଉଛି। ହେଲେ ପ୍ରଶାସନ କିମ୍ବା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କୌଣସି ମଣ୍ଡି ବା ବଜାର ବ୍ୟବସ୍ଥା ନାହିଁ। ଫଳରେ ଚାଷୀ ଶୋଷଣର ଶିକାର ହେଉଛନ୍ତି। ଏ ଦିଗରେ ରାଜ୍ୟ ସରକାର କିମ୍ବା ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି ।