Categories: ଜାତୀୟ

ଲଦାଖକୁ ରାଜ୍ୟ ମାନ୍ୟତା ଦାବି: ଓ୍ବାଙ୍ଗ୍‌ଚୁକ୍‌ଙ୍କ ଅନଶନ ୧୯ ଦିନରେ

ନୂଆଦିଲ୍ଲୀ,୨୫।୩: ଲଦାଖକୁ ରାଜ୍ୟ ମାନ୍ୟତା ଦାବିରେ ମାଗାସେସେ ପୁରସ୍କାର ବିଜେତା ଶିକ୍ଷାବିତ୍‌ ତଥା ଜଳବାୟୁ କର୍ମୀ ସୋନମ ଓ୍ବାଙ୍ଗ୍‌ଚୁକ୍‌ଙ୍କ ଅନଶନ ରବିବାର ୧୯ ଦିନରେ ପହଞ୍ଚତ୍ଛି। ଏଥିସହିତ ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳର ଅନନ୍ୟ ପରିବେଶର ସୁରକ୍ଷା ପାଇଁ ପଦକ୍ଷେପ ନେବା ନିମନ୍ତେ ସେ ଦାବି କରିଛନ୍ତି। ତାଙ୍କ ଅନ୍ୟ ଦାବି ମଧ୍ୟରେ ରହିଛି, ସମ୍ବିଧାନର ଷଷ୍ଠ ଅନୁଚ୍ଛେଦ କାର୍ଯ୍ୟକାରୀ କରିବା, ଲେହ ଏବଂ କାର୍ଗିଲ ଜିଲା ପାଇଁ ଅଲଗା ଲୋକ ସଭା ଆସନ, ନିଯୁକ୍ତି ପ୍ରକ୍ରିୟା ଏବଂ ଲଦାଖ ପାଇଁ ସ୍ବତନ୍ତ୍ର ଲୋକସେବା ଆୟୋଗ।

ଦୀର୍ଘଦିନ ହେଲା ଅନଶନରେ ବସିବା ଯୋଗୁ ସେ ଦୁର୍ବଳ ହୋଇଗଲେଣି। ଅନଶନ ବନ୍ଦ କରିବା ପାଇଁ ସମର୍ଥକମାନଙ୍କ ନିବେଦନ ସତ୍ତ୍ୱେ ଆଉ ୩ ଦିନ ବସିରହିବେ ବୋଲି ଓ୍ବାଙ୍ଗ୍‌ଚୁକ୍‌ ଶନିବାର କହିଥିଲେ। ଯୋଜନା ଅନୁଯାୟୀ ୨୧ ଦିନ ଅନଶନ ଜାରି ରଖିବା ପାଇଁ ସେ ପ୍ରତିବଦ୍ଧ। ତାଙ୍କ ସମର୍ଥନରେ ହଜାର ହଜାର ଲୋକ ସାମିଲ ହୋଇଛନ୍ତି। ଓ୍ବାଙ୍ଗ୍‌ଚୁକ୍‌ ଅନଶନ ଭାଙ୍ଗିବା ପରେ ମଧ୍ୟ ସ୍ଥାନୀୟ ଲୋକେ ପାଳିକରି ଅନଶନ ଜାରି ରଖିବେ ବୋଲି କହିଛନ୍ତି।

ଶନିବାର ୨,୦୦୦ ଲୋକ ତାଙ୍କ ଲେହସ୍ଥିତ ଅନଶନ ସ୍ଥଳକୁ ଆସି ସମର୍ଥନ ଜଣାଇଥିଲେ। ବୁଧବାର ହଜାର ହଜାର ଲୋକ ଓ୍ବାଙ୍ଗ୍‌ଚୁକ୍‌ଙ୍କ ସମର୍ଥନରେ କାର୍ଗିଲରେ ଶୋଭାଯାତ୍ରା କରିଥିଲେ। ୨୦୧୯ ଅଗଷ୍ଟରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ସହ ଏହାକୁ ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ। ସମ୍ବିଧାନର ଷଷ୍ଠ ଅନୁଚ୍ଛେଦ ଅନୁଯାୟୀ ଲଦାଖକୁ ରାଜ୍ୟ ମାନ୍ୟତା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ପୂରଣ ହୋଇନାହିଁ।

Share