ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବି କରିଛି କଳାହାଣ୍ଡି ସରପଞ୍ଚ ସଂଘ। ଶନିବାର ରାଜ୍ୟ ସରପଞ୍ଚ ମହାସଂଘର ନିଷ୍ପତ୍ତି କ୍ରମେ କଳାହାଣ୍ଡି ଜିଲା ସରପଞ୍ଚ ସଂଘ ପକ୍ଷରୁ ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।
ସଂଘ ପକ୍ଷରୁ ସରପଞ୍ଚ ଚାମେଲି ଓଝାଙ୍କୁ ପ୍ରତି ହୋଇଥିବା ମାମଲା ଏବଂ ଦୁର୍ବ୍ୟବହାରକୁ ଦୃଢ଼ ନିନ୍ଦା କରାଯାଇଥିଲା। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲାପାଳଙ୍କୁ ଏକ ୪ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା।
ସରକାର ତୁରନ୍ତ ସରପଞ୍ଚ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ନ କଲେ ରାଜ୍ୟ ସରପଞ୍ଚ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଓ ପୋଲିସ ଡିଜିଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଜିଲା ସରପଞ୍ଚ ସଂଘ କାର୍ଯ୍ୟକାରୀ ସଭାପତି ତାରା ଶଙ୍କର ରାୟଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରାଜ୍ୟ ସଂଘ ସଭାପତି ରୋମାଞ୍ଚ ସାହୁଙ୍କ ସମେତ ଜିଲାର ସମସ୍ତ ବ୍ଳକର ସଭାପତି ଓ
ବିଭିନ୍ନ ପଞ୍ଚାୟତରୁ ୧୦୦ରୁ ଊର୍ଦ୍ଧ ସରପଞ୍ଚ ସାମିଲ ହୋଇଥିଲେ।