ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ସରକାରୀ ମାନ୍ୟତା ସହ ମାସିକ ୩୦ ହଜାର ଟଙ୍କା ପାରିଶ୍ରମିକ ଦାବି, ନ ହେଲେ ଆନ୍ଦୋଳନ ତୀବ୍ରତର ଚେତାବନୀ

ଦିଗପହଣ୍ଡି,୨୫ା୧୧(ଅଶେଷ ନାଥ ମିଶ୍ର): ଭାରତୀୟ ମଜଦୂର ସଂଘ ସହବନ୍ଧିତ ଅଲ ଓଡ଼ିଶା ଅଙ୍ଗନଓ୍ବାଡ଼ି ଲେଡିଜ୍‌ ଓ୍ବାର୍କର୍ସ ଆସୋସିଏଶନ ଦିଗପହଣ୍ଡି ଶାଖା ପକ୍ଷରୁ ସ୍ଥାନୀୟ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ(୍‌ଆଇସିଡିଏସ୍‌)କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଗଣଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଜ୍ୟ ସଂଘର ଆହ୍ବାନ କ୍ରମେ ସମସ୍ତ ଅଙ୍ଗନଓ୍ବାଡ଼ି କର୍ମୀ ଓ ସହାୟିକାଙ୍କୁ ସରକାରୀ କର୍ମଚାରୀ ଭାବେ ମାନ୍ୟତା ପ୍ରଦାନ, ଯେପର୍ଯ୍ୟନ୍ତ କର୍ମଚାରୀର ମାନ୍ୟତା ପ୍ରଦାନ କରା ନ ଯାଇଛି ଅଙ୍ଗନଓ୍ବାଡ଼ି କର୍ମୀମାନଙ୍କୁ ମାସିକ ୩୦ ହଜାର ଏବଂ ସହାୟିକାମାନଙ୍କୁ ୧୫ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ, ଗତ ୨୦୨୪ ନିର୍ବାଚନ ଇସ୍ତାହାର ଘୋଷଣା ଅନୁଯାୟୀ ବର୍ଦ୍ଧିତ ପାରିଶ୍ରମିକ ତୁରନ୍ତ ପ୍ରଦାନ, ଅଙ୍ଗନଓ୍ବାଡ଼ି କର୍ମୀମାନଙ୍କ ପାଇଁ ସୁପରଭାଇଜର ପଦୋନ୍ନତି ପ୍ରତିବର୍ଷ ନିୟମିତ ବ୍ୟବଧାନରେ କରାଯିବା ସହ ସହାୟିକାମାନଙ୍କ ପଦୋନ୍ନତିରେ ବାଧକ ସାଜିଥିବା ବୟସ ସୀମାକୁ ଉଚ୍ଛେଦ କରାଯିବା ପ୍ରଭୃତି ୬ ଦଫା ଦାବି ନେଇ ଅଙ୍ଗନଓ୍ବାଡ଼ି କର୍ମୀମାନେ ଏକ ବିରାଟ ଶୋଭାଯାତ୍ରାରେ ଅଞ୍ଚଳ ପରିକ୍ରମା କରି କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ଦୀର୍ଘ ସମୟ ଧରି ଗଣଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା ବ୍ଲକ ସଭାନେତ୍ରୀ ବନିତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟ ସରକାର ସଂଘର ଦାବିଗୁଡ଼ିକୁ ଅବିଳମ୍ବେ ପୂରଣ ନ କଲେ ଆନ୍ଦୋଳନ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଥିଲେ। ସେହିଭଳି ବ୍ଲକ ସମ୍ପାଦିକା ସୁଲୋଚନା ରଥ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ରହି ସଂଘର ସମସ୍ତ ଦାବି ହାସଲ ଯାଏ ଐକବଦ୍ଧ ସଂଗ୍ରାମ ଜାରି ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଶତାଧିକ ଅଙ୍ଗନଓ୍ବାଡ଼ି କର୍ମୀ ଏହି ଆନ୍ଦୋଳନରେ ସାମିଲ ଥିଲେ।

Dharitri – Odisha’s No.1 Odia Daily

Share