ଉତକେଲାରୁ ବିଶାଖାପାଟଣା ବିମାନ ସେବା ସମ୍ପ୍ରସାରଣ ଦାବି: ଏମ୍‌ପିଙ୍କୁ ଦାବି ଜଣାଇଲେ

କେସିଙ୍ଗା, ୨୫।୫ (ତୁମେଶ୍ୱର ସାହୁ): ଉତକେଲାରୁ ଭୁବନେଶ୍ୱରକୁ ବିମାନ ଉଡାଣ ପ୍ରଥମେ ସପ୍ତାହକୁ ଦୁଇ ଦିନ ଥିବା ବେଳେ ପରେ ସପ୍ତାହକୁ ଛଅ ଦିନ ହୋଇଥିଲା। ସୋମବାର ଠାରୁ ପ୍ରତିଦିନ ବିମାନ ଚାଳନା ପାଇଁ “IndiaOne Air” ପକ୍ଷରୁ ଘୋଷଣା କରାଯାଇଥିଲା। ବର୍ତ୍ତମାନ ପ୍ରତିଦିନ ଉତକେଲାରୁ ଭୁବନେଶ୍ୱରକୁ ବିମାନ ଚାଲୁଥିବାରୁ ଯାତ୍ରୀମାନେ ଖୁସି ପ୍ରକାଶ କରିଛନ୍ତି।

ମାତ୍ର କଳାହାଣ୍ଡି, ନୂଆପଡା ଓ ବଲାଙ୍ଗୀର ଜିଲାରୁ ପ୍ରତିଦିନ ଶତାଧିକ ଲୋକ ଚିକିତ୍ସା ନିମନ୍ତେ ବିଶାଖାପାଟଣାକୁ ଯାତ୍ରା କରୁଛନ୍ତି। ଜରୁରୀକାଳୀନ ମେଡିକାଲ ଚିକିତ୍ସା ଯଥା ଦୁର୍ଘଟଣା କିମ୍ବା ଗୁରୁତର ରୋଗୀଙ୍କୁ ଟ୍ରେନରେ ବିଶାଖାପାଟଣାକୁ ନେବାକୁ ପ୍ରାୟ ୫ ଘଣ୍ଟା ସମୟ ଲାଗେ, ଯାହା ଚିକିତ୍ସା ପାଇଁ ସମସ୍ୟା ସୃଷ୍ଟି କରୁଛି।

ଉତକେଲାରେ ଏୟାର ଷ୍ଟ୍ରିପ ସୁବିଧା ଉପଲବ୍ଧ ଥିବା ସହ ବିଶାଖାପାଟଣା ଏୟାରପୋର୍ଟ ମଧ୍ୟ “IndiaOne Air” ବିମାନ ଚାଳନା ପାଇଁ ଅନୁମତି ଦେଇଛି। ଏହି ରୁଟ୍‌ରେ ବିମାନ ସେବା ଆରମ୍ଭ କରିବା ସମ୍ଭବ ହେବ ବୋଲି ଚର୍ଚ୍ଚା ଜୋର ଧରିଛି।

ଏହି ପରିପ୍ରେକ୍ଷ୍ୟରେ କଳାହାଣ୍ଡି ଲୋକସଭା ଏମ୍ ପି ମାଳବିକା ଦେବୀଙ୍କୁ ଜିଲାବାସୀ ଓ ଯାତ୍ରୀମାନେ ଦାବି କରିଛନ୍ତି ଯେ, ଜନସ୍ୱାସ୍ଥ୍ୟ ଓ ଅଞ୍ଚଳର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉତକେଲା ଏୟାର ଷ୍ଟ୍ରିପରୁ ବିଶାଖାପାଟଣା ଏୟାରପୋର୍ଟ ପର୍ଯ୍ୟନ୍ତ ବିମାନ ସେବା ସମ୍ପ୍ରସାରଣ କରାଯାଉ।

ଏଥିପାଇଁ UDAN-RCS (Regional Connectivity Scheme) ଯୋଜନା ଅନ୍ତର୍ଗତ “IndiaOne Air” ଦ୍ୱାରା କମର୍ସିଆଲ୍ ଫ୍ଲାଇଟ୍ ଚାଳନା ପାଇଁ ପଦକ୍ଷେପ ନେଲେ ଅଞ୍ଚଳବାସୀ ଉପକୃତ ହେବେ ବୋଲି ଆଶା କରାଯାଉଛି।

ତେବେ ଏହି ପ୍ରକଳ୍ପ ରୂପାୟଣ ପାଇଁ Directorate General of Civil Aviation (DGCA), Bureau of Civil Aviation Security (BCAS) ଓ Airport Authority of India (AAI)ଙ୍କ ଅନୁମତି ସହିତ Ministry of Civil Aviation (MoCA) ଏବଂ ଓଡ଼ିଶା ସରକାରଙ୍କ ସ୍ୱୀକୃତି ଆବଶ୍ୟକ ହେବ।

ଯାତ୍ରୀମାନଙ୍କ ଦାବି ଅନୁଯାୟୀ, ଏହି ମାମଲାରେ ଏମ୍‌ପି ବିଶେଷ ଧ୍ୟାନ ଦେଲେ ରୋଗୀ ସେବା ଓ ଯାତାୟାତ ବ୍ୟବସ୍ଥାରେ ବଡ଼ ସୁବିଧା ହେବ ବୋଲି ଜିଲାବାସୀ ମତ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Share