ଗୁଣପୁର, ୮।୯ (ସୁଜାତା ପାଢ଼ୀ): ଗୁଣପୁର ବଂଶଧାରା ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଦାବିରେ ରାଜ୍ୟ ସରକାରଙ୍କ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ରାୟଗଡ଼ା ଜିଲା ଭାଜପା ସଭାପତି ଗୋପୀ ଆନନ୍ଦଙ୍କ ନେତୃତ୍ୱରେ ଗୁଣପୁରର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ, ବରିଷ୍ଠ ନେତା ଶିବ ଶଙ୍କର ଉଲାକା, ଗୁଣପୁର ପୌର ପରିଷଦ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ଯୁବ ନେତା ଭିକାରି ନାହାକ, ମିଲି ପାଢ଼ୀ, ବାପି ପଣ୍ଡା, ଟିଙ୍କୁ ପଣ୍ଡା ପ୍ରମୁଖ ମନ୍ତ୍ରୀଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଥିଲେ।
ଏହି ଅବସରରେ ବଂଶଧାରା ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ସହ ରାୟଗଡ଼ା ଜିଲାର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଥିଲା।
ସେହିପରି ରାୟଗଡ଼ା-କେରେଡ଼ା ମଧ୍ୟରେ ୪ ଲେନ୍ ବିଶିଷ୍ଟ ରାସ୍ତା, କୁମତୁଲପେଟା-ମୁନିଗୁଡ଼ା-ତୁମୁଡ଼ିବନ୍ଧ ରାସ୍ତାକୁ ୪ ଲେନ୍ କରିବା ଏବଂ ଭବାନୀପାଟଣା-ମୁନିଗୁଡ଼ା ରାସ୍ତାକୁ ୪ ଲେନ୍ କରିବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ମିଳିଥିବାରୁ ନେତାମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ।