ବରଗଡ଼,୨୫।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଦେଇ ପ୍ରବାହିତ ହେଉଥିବା ଜୀରାନଦୀରେ ବ୍ୟାରେଜ ନିର୍ମାଣ ଦାବି ଜୋର୍ ଧରି ବସିଛି। ଏହି ଦାବି ନେଇ ମଙ୍ଗଳବାର ଜିଲାର ବୀର ସୁରେନ୍ଦ୍ର ସାଏ କୃଷକ ସଙ୍ଗଠନ ସମେତ ସୋହେଲା, ଭଟଲି, ବରଗଡ଼ ବ୍ଲକର ଚାଷୀବୃନ୍ଦ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ସ୍ମାରକପତ୍ର ଗ୍ରହଣ କରିଥିଲେ।
ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି, ବରଗଡ଼ ଜିଲା ଦେଇ ଜୀରାନଦୀ ପ୍ରବାହିତ ହୋଇଛି। ଜୀରାନଦୀରୁ ବାଲି ଚୋରାଚୋଲାଣ ହେଉଛି। ଉଠାଜଳସେଚନ ପାଇଁ ଏ ପର୍ଯ୍ୟନ୍ତ ବ୍ୟବସ୍ଥା ନାହିଁ। ଫଳରେ ଏପର୍ଯ୍ୟନ୍ତ ଉକ୍ତ ନଦୀ ଉପକଣ୍ଠ ଜମି ମରୁଡ଼ିର ସମ୍ମୁଖୀନ ହେଉଛି। ଚାଷଜମି ପଡ଼ିଆ ପଡ଼ୁଛି। ତେବେ ଜୀରାନଦୀରେ ଯଦି ଏକ ବ୍ୟାରେଜ ନିର୍ମାଣ କରାଯାଇ ଜଳ ସଂରକ୍ଷଣ କରାଗଲେ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ସୋହେଲା ବ୍ଲକର ସରକଣ୍ଡା, ଜମଛାପର, ଶ୍ରୀଗିଡ଼ା, ବାଇପାଲି, ବିଶିପାଲି, ଜଟଲା, ସାମକଟା, ଭଟଲି ବ୍ଲକର ଭଡ଼ିଗାଁ, ଭଜପୁରୀ, ରସାଳୀ ସହିତ ବରଗଡ଼ ବ୍ଲକର ଚକରକେନ୍ଦ ପଞ୍ଚାୟତର ଅନେକ ଗ୍ରାମ ଜଳସେଚିତ ହୋଇପାରିବ। ଏହା ସହିତ ଅଞ୍ଚଳରେ ଭୂତଳ ଜଳସ୍ତର ବୃଦ୍ଧି ପାଇବ ବୋଲି ସ୍ଥାନୀୟ ଲୋକେ ଆଶାବ୍ୟକ୍ତ କରିଛନ୍ତି ଏବଂ ଏ ନେଇ ବିହିତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଜିଲା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କ ସମେତ ଅନ୍ୟ ଚାଷୀ ପ୍ରତିନିଧିବୃନ୍ଦ ସ୍ମାରକପତ୍ର ପ୍ରଦାନବେଳେ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily

