Categories: ରାଜ୍ୟ

ବଢ଼ୁଛି କୁଣ୍ଡାତେଲ ଚାହିଦା

ଭୁବନେଶ୍ୱର,୬ା୧୨(ବ୍ୟୁରୋ): ରାଜ୍ୟରେ ୧୨ଟି ରାଇସବ୍ରାନ୍‌ (ଧାନ କୁଣ୍ଡା ତେଲ) ୟୁନିଟ୍‌ କାର୍ଯ୍ୟକ୍ଷମ ରହିଛି। ସେଥିରୁ ବରଗଡ଼ ଜିଲାରେ ୭ଟି ଥିବା ବେଳେ ଯାଜପୁରରେ ୧, ଖୋର୍ଦ୍ଧା ୧, କୋରାପୁଟ ୨ ଏବଂ ବାଲେଶ୍ୱରରେ ଗୋଟିଏ ରାଇସବ୍ରାନ୍‌ ୟୁନିଟ୍‌ କାର୍ଯ୍ୟକ୍ଷମ ରହିଛି। ଏହି ସବୁ ୟୁନିଟ୍‌କୁ ରାଜ୍ୟ ସରକାର ୧୧୧୫.୩୪ ଲକ୍ଷ ଟଙ୍କାର ସବ୍‌ସିଡି ପ୍ରଦାନ କରିଛନ୍ତି। ଶନିବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଶିଳ୍ପ ନିର୍ଦ୍ଦେଶକ ରେଘୁ.ଜି ଏହି ସୂଚନା ଦେଇଛନ୍ତି ।

ପୂର୍ବରୁ ରାଇସବ୍ରାନ୍‌କୁ ଗୋଖାଦ୍ୟ ଭାବେ ବ୍ୟବହାର କରାଯାଉଥିଲା। କୃଷି କ୍ଷେତ୍ରରେ ରାଜ୍ୟରେ ବୈଷୟିକ ବିପ୍ଳବ ଆସିବା ପରେ ଏହାର ଚାହିଦା ବୃଦ୍ଧି ପାଇଛି। ରାଜ୍ୟରେ ଧାନ କୁଣ୍ଡାତେଲ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ରାଜ୍ୟରେ ରାଇସବ୍ରାନ୍‌ ତେଲର ଚାହିଦା ଆକଳନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଧାନ କୁଣ୍ଡାତେଲର ରୋଗ ପ୍ରତିରୋଧକ ଶକ୍ତି, ପୁଷ୍ଟି ଓ ସକାରାତ୍ମକ ଗୁଣ ରହିଥିବାରୁ ଏହାକୁ ଲାଭଜନକ ଉଦ୍ୟୋଗ ଭାବେ ବିକଶିତ କରାଯାଇ ପାରିବ। ଏହାର ବଜାର ଚାହିଦା ଓ ସୁଯୋଗର ଅନୁଶୀଳନ ଯୁବ ଉଦ୍ୟୋଗୀମାନଙ୍କ ନିମନ୍ତେ ପଥ ପ୍ରଦର୍ଶକ ହେବ ବୋଲି ତ୍ରିପାଠୀ କହିଛନ୍ତି। ବୈଠକରେ ସୂଚନା ଦେଇ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପ ସଚିବ ସତ୍ୟବ୍ରତ ସାହୁ କହିଥିଲେ, ଧାନ କୁଣ୍ଡାତେଲ ଉଦ୍ୟୋଗକୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଦିଆଯାଇ ପାରିବ। ଏଥିପାଇଁ ନିଆଯାଇଥିବା ଋଣର ସୁଧ ବାବଦରେ ଉତ୍ପାଦନ ଆରମ୍ଭରୁ ୫ ବର୍ଷ ପର୍ଯ୍ୟନ୍ତ ୫ ପ୍ରତିଶତ ରିହାତି, ଉତ୍ପାଦନ ଆରମ୍ଭରୁ ୫ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ଜିଏସ୍‌ଟିର ୭୫ ପ୍ରତିଶତ ପ୍ରତିପୂରଣ, ୫୦୦ କେ.ଭି. ବିଦ୍ୟୁତ୍‌ ଚାହିଦାରେ ୫ ବର୍ଷ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଶୁଳ୍କ ରିହାତି ଏବଂ ବୈଷୟିକ କୌଶଳ ସମ୍ବନ୍ଧୀୟ ଜ୍ଞାନ ଆଦି ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି।
କ୍ଷେତ୍ର ଅନୁଧ୍ୟାନ କରୁଥିବା ଶିଳ୍ପ ବିଭାଗ ବରିଷ୍ଠ ଅଧିକାରୀ ମଦନମୋହନ ପାତ୍ର କହିଥିଲେ, ଧାନ କୁଣ୍ଡାତେଲ ଏକ ଲାଭଜନକ ଉଦ୍ୟୋଗ। ଏକ କୁଇଣ୍ଟାଲ ଧାନରୁ ମିଳୁଥିବା କୁଣ୍ଡାରୁ ପ୍ରାୟ ୮୦୦ ମିଲିଲିଟର ସ୍ବାସ୍ଥ୍ୟ ଉପଯୋଗୀ ଖାଇବା ତେଲ ଉତ୍ପାଦନ ହୋଇପାରୁଛି। ଅନ୍ୟାନ୍ୟ ତେଲ ଠାରୁ ଏହି ତେଲ ମଧ୍ୟ ବଜାରରେ ଅଧିକ ଦାମ୍‌ରେ ବିକ୍ରି ହେଉଛି। ଅଧିକ ଧାନ ଉତ୍ପାଦନକାରୀ ଜିଲାଗୁଡିକରେ ଏପରି ଉଦ୍ୟୋଗର ସୁଯୋଗ ରହିଛି। ଏହି ବୈଠକରେ ଅର୍ଥ ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ, ସହ ନିର୍ଦ୍ଦେଶକ ସରୋଜ ହୋତା ପ୍ରମୁଖ ଯୋଗ ଦେଇଥିଲେ।