Categories: ଜାତୀୟ

ଧୂଆଁମୟ ରାଜଧାନୀ: ସ୍କୁଲ ବନ୍ଦ

ନୂଆଦିଲ୍ଲୀ,୩।୧୧: ଦେଶର ରାଜଧାନୀ ଦିଲ୍ଲୀର ବାୟୁ କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ଦିଲ୍ଲୀର ଅନେକ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୪୨୨ରେ ପହଞ୍ଚିଛି। ଲୋକମାନେ ବିଷାକ୍ତ ବାୟୁ ନିଃଶ୍ୱାସ ନେବାକୁ ବାଧ୍ୟ ହେଉଛନ୍ତି। ପ୍ରଦୂଷଣକୁ ଏଡାଇବା ପାଇଁ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେବା ଆରମ୍ଭ କରି ଦେଇଛନ୍ତି। ବିଶେଷକରି ଶିଶୁ, ବୃଦ୍ଧ ଏବଂ ଅସୁସ୍ଥ ଲୋକଙ୍କୁ ଅଧିକ ସତର୍କ ରହିବାକୁ ନିବେଦନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଆସନ୍ତା ଦୁଇ ଦିନ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଟୁଇଟ କରି ଏହି ସୂଚନା ଦେଇଛନ୍ତି।
ଗତ କିଛି ଦିନ ହେବ ଦିଲ୍ଲୀର ଏକ୍ୟୁଆଇ କ୍ରମାଗତ ଭାବରେ ନିମ୍ନ ବର୍ଗରେ ରେକର୍ଡ କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଅବସ୍ଥା ଆହୁରି ଖରାପ ହୋଇପଡିଛି। ସବୁ ସ୍ଥାନରେ ଧୂଆଁ। ଗୁରୁବାର ରାଜଧାନୀର ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୦୦ସ୍ତର ଅତିକ୍ରମ କରି ଗମ୍ଭୀର ବର୍ଗରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ଅପରାହ୍ନ ୪ଟାରେ ୩୯୨ରେ ଏକ୍ୟୁଆଇ ରେକର୍ଡ କରାଯାଇଥିଲା, ଏହି ସଂଖ୍ୟା ଏକ ଘଣ୍ଟା ପରେ ଗମ୍ଭୀର ବର୍ଗରେ ଆସିଥିଲା, ଯାହା ପରେ ଏହି ସଂଖ୍ୟା ରାତି ୧୦ଟା ସୁଦ୍ଧା ୪୨୨କୁ ବୃଦ୍ଧି ପାଇଲା।
ଶୂନରୁ ୫୦ ମଧ୍ୟରେ ଏକ୍ୟୁଆଇ ‘ଭଲ’, ୫୧ ରୁ ୧୦୦ ‘ସନ୍ତୋଷଜନକ’, ୧୦୧ ରୁ ୨୦୦ ‘ମଧ୍ୟମ’, ୨୦୧ ରୁ ୩୦୦ ‘ଖରାପ’, ୩୦୧ ରୁ ୪୦୦ ‘ଅତ୍ୟନ୍ତ ଖରାପ’ ଏବଂ ୪୦୧ ରୁ ୫୦୦ ‘ଗମ୍ଭୀର’ ଭାବରେ ବିବେଚନା କରାଯାଏ।

Share