ଭବାନୀପାଟଣା, କେସିଙ୍ଗା, ୧୧।୬(ଉତ୍ତମ କୁମାର ଦାଶ/ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଏମ.ରାମପୁର ବ୍ଲକର ଅଁଳାପାଲି ଓ ବମକ ମଣ୍ଡିରେ ରବିଧାନ ଉଠାଣ ବିଳମ୍ବକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।ବର୍ତ୍ତମାନ ଏହି ୨ ମଣ୍ଡିରେ ୧୦ ହଜାରରୁ ଅଧିକ କ୍ୱିଣ୍ଟାଲ ଧାନ ପଡ଼ି ରହିଥିବା ବେଳେ କାଳବୈଶାଖୀ ଯୋଗୁ ଅସମୟ ବର୍ଷାରେ ଧାନ ଭିଜି ନଷ୍ଟ ହେବା ଆଶଙ୍କା ଦେଖାଦେଲାଣି। ଏଥିପ୍ରତି ମିଲର, ସମବାୟ ସମିତି କିମ୍ବା ଯୋଗାଣ ବିଭାଗର କୌଣସି ଅଧିକାରୀଙ୍କ ଦେଖା ନ ମିଳିବାରୁ ଚାଷୀମାନେ ବାଧ୍ୟହୋଇ ଗୁରୁବାର ସକାଳୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଶୀଘ୍ର ଧାନ ଉଠାଣ ଦାବିରେ ଶତାଧିକ ଚାଷୀ ଧାନ ବସ୍ତା ରଖି ଗୋପାଲପୁର -ରାୟପୁର ୫୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି।ଫଳରେ ଶତାଧିକ ଯାନବାହନ ଚଳାଚଳ କରି ନ ପାରି ରାସ୍ତା କଡ଼ରେ ଅଟକି ରହିଛି। ଏଥିଯୋଗୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ରାସ୍ତାରୋକୋରେ ଏମ. ରାମପୁର ବ୍ଲକ କଂଗ୍ରେସ ସଭାପତି ରୁଦ୍ର ପ୍ରତାପ ସିଂହ, ଚାଷୀ ନେତା ତୁମ୍ବେଶର ସାହୁ, ନିଗମାନନ୍ଦ ସାହୁ,ଖିରସାଗର ସାହୁ, ମିନକେତନ ସାହୁ,ଶତ୍ରୃଘ୍ନ ସାହୁ, ଝସକେତନ ସାହୁ ପ୍ରମୁଖ ପ୍ରମୁଖ ଉପସ୍ଥିତ ରହି ଜାତୀୟ ରାଜ ପଥ ଅବରୋଧ କରି ରବି ଧାନ ଉଠାଣ ପାଇଁ ଦାବି କରିଛନ୍ତି।