ଲାଞ୍ଜିଗଡ,୧୦।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ଖଜୁରଗୁଡା ଗାଁ ନିକଟରେ ଥିବା ସାନ୍ଦୁଲ ନଦୀ ବ୍ରିଜ ନିର୍ମାଣରେ ବିଳମ୍ବ ଏବଂ ଅତି ନିମ୍ନମାନର କାମ ହେଉଥିବା ଅଭିଯୋଗ ହେଉଥିଲା । ତେବେ ବୁଧବାର କାମ ବନ୍ଦ କରିଛନ୍ତି ଖଜୁରଗୁଡା ଗ୍ରାମବାସୀ ।
ସୂଚନା ଅନୁସାରେ ଦୀର୍ଘ ବର୍ଷର ଅଭିଯୋଗ ପରେ ସାନ୍ଦୁଲ ନଦୀ ବ୍ରିଜ ନିର୍ମାଣ ପାଇଁ ୨୦୨୩ ମସିହାରେ ମଞ୍ଜୁର ହୋଇଥିଲା କିନ୍ତୁ ବ୍ରିଜ ନିର୍ମାଣର ପାଖାପାଖି ୩ବର୍ଷ ପରେ ମଧ୍ୟ ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିନାହିଁ । ଉକ୍ତ ବ୍ରିଜ ନିର୍ମାଣ ପାଇଁ କଳାହାଣ୍ଡି ଜିଲା ଭବାନୀପାଟଣାର ଜଣେ ଠିକାଦାର ଏହାର ଠିକା ନେଇଥିଲେ ଏବଂ ୨୦୨୩ ମସିହା ମେ’ ମାସରେ ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ହେଲେ ନଦୀରେ ବ୍ରିଜ ନିର୍ମାଣ ପାଇଁ ନଦୀର ଗୋଟିଏ ପଟେ କେବଳ ଲୁହାଛଡ଼ ଠିଆ ହୋଇଥିବା ବେଳେ ଆଉ ଅନ୍ୟପଟେ ବ୍ରିଜର ଛାତ ପଡିପାରିନି। ବ୍ରିଜ କାମଟି ମନ୍ଥର ଗତିରେ ଓ ନିମ୍ନ ମାନର କାମ ହେଉଥିବା ଯୋଗୁଁ ବ୍ରିଜର ଅନେକ ସ୍ଥାନରେ ଫାଟି ଆଁ କଲାଣି କିନ୍ତୁ କାର୍ଯ୍ୟର ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ନଜର ପଡୁନି କି ଅଭିଯୋଗ କଲେ ମଧ୍ୟ କର୍ଣ୍ଣପାତ କରୁନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।
ନିମ୍ନମାନ କାମକୁ ନେଇଁ ବାରମ୍ବାର ଅଭିଯୋଗ ପରେ କିଛି ମାସ ତଳେ ବିଭାଗ ପକ୍ଷରୁ କାମ ବନ୍ଦ କରାଯାଇଥିଲା ହେଲେ କିଛି ଦିନ ବ୍ୟବଧାନରେ ପୁଣି ବ୍ରିଜ କାମ ଆରମ୍ଭ କରାଯାଇ ଥିଲା। କିନ୍ତୁ ଆଜକୁ ୩ବର୍ଷରୁ ଉର୍ଦ୍ଧ୍ବ ସମୟ ହୋଇଥିଲେ ହେଁ ଏଯାଏଁ ବ୍ରିଜ କାମ ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ । ତେଵେ ପ୍ରଶାସନର ଅବହେଳା ନା କାର୍ଯ୍ୟରେ କାର୍ଯ୍ୟରତ ଯନ୍ତ୍ରୀଙ୍କ ଅବହେଳା, ନା ରାଜନେତାଙ୍କ ଦୃଷ୍ଟି ଗୋଚର ଅଭାବ ଯୋଗୁଁ ବ୍ରିଜ କାମ ସମ୍ପୂର୍ଣ୍ଣ ହୋଇପାରୁନି ବୋଲି ଏବେ ବିରାଟ ବଡ଼ ପ୍ରଶ୍ନବାଚି ସୃଷ୍ଟି ହେଉଛି । ପ୍ରଶାସନ ବା ରାଜନେତାଙ୍କ ଦୃଷ୍ଟି ଗୋଚର ପଡନ୍ତା ତାହାହେଲେ ଲୋକଙ୍କ ଯିବା ଆସିବା ପାଇଁ ବ୍ରିଜ ନିର୍ମାଣର ବର୍ଷକ ଭିତରେ ଆମେ ସୁବିଧା ପାଇ ପାରନ୍ତୁ ବୋଲି ଗ୍ରାମବାସୀ ମତପ୍ରକଶ କରିଛନ୍ତି ।
ବର୍ତ୍ତମାନ ଏବେ ପୁରୁଣା ରାସ୍ତାରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିବା ବେଳେ ଅଳ୍ପ ବର୍ଷା ହେଲେ କାଦୁଅ ପଚପଚ ହେଉଥିବାରୁ ଯାନବାହାନ ଯିବାର ଦୂରର କଥା ଲୋକେ ଚାଲିଯିବା ମଧ୍ୟ ସମ୍ଭବ ହୋଇପାରୁନି । ଯାହା ଫଳରେ ୧୫ରୁ ଉର୍ଦ୍ଧଗାଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାନ୍ଦୁଲ ନଦୀ ବ୍ରିଜ ସମ୍ପୂର୍ଣ୍ଣ ନହେବା ଯୋଗୁଁ ନଦୀ ଆରପଟ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର, ଉପ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ବିଜେପୁର, ମାଳିଯୁବାଙ୍ଗ ଓ ପାହାଡ଼ ପଦର ପଞ୍ଚାୟତର ୧୫ ରୁ ଉର୍ଦ୍ଧ ଗାଁ ରହିଥିବା ବେଳେ ଏବେ ବର୍ଷା ଋତୁରେ ବ୍ରିଜ ନିର୍ମାଣ କାମ ସମ୍ପୂର୍ଣ୍ଣ ନ ହେଲେ ଗୁରୁତର ରୋଗୀ ବା ଯାନବାହାନ ଯାତାୟାତରେ ବିଛିନ୍ନ ହେବାର ଆଶଙ୍କା ଦେଖାଦେଇଛି ।
ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଅସିତ ଖଟୁଆଙ୍କ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ କଲ ଗ୍ରହଣ କରି ନଥିବାରୁ ପ୍ରତିକ୍ରିୟା ମିଳିପାରିଲା ନାହିଁ । ପଞ୍ଚାୟତ କାର୍ଯ୍ୟାଳୟ ବିଜେପୁର ଓ ବ୍ଳକ୍ କାର୍ଯ୍ୟାଳୟ ବିଶ୍ବନାଥପୁରକୁ ଯିବା ଆସିବା ପାଇଁ ହେଲେ ଲୋକେ ନାନା ଅସୁବିଧା ଭୋଗୁଥିବା ବେଳେ ଲୀଳାମ୍ବର ବାଗ, ଯୁଜେଷ୍ଟି ନାଏକ, ବିପିନ ନାଏକ, ନିରାକାର ବାଗ, ଶଙ୍କର ନାଏକ, ବଳ ମାଝୀ, ସୁନ୍ଦରୀ ମାଝୀ, ଲାକ ମାଝୀ, ବିନୋଦ ନାଏକ, ହରି ବାଗ, ସୂର୍ଯ୍ୟ ବାଗ, ଜମ୍ବୁବତୀ ନାଏକ କୈଳାଶ ବାଗ ସମେତ ଗ୍ରାମବାସୀ କଳାହାଣ୍ଡି ଜିଲାପାଳଙ୍କୁ ତୁରନ୍ତ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ।