ପଦାହେଲାଣି ବିପ୍ରଡ଼ିହ ଜଙ୍ଗଲ

ବଇଣ୍ଡା, ୨୯।୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜ୍‌ ଅଧୀନ ବିପ୍ରଡ଼ିହ ଜଙ୍ଗଲ ପଦା ହେବାରେ ଲାଗିଛି। କାଠ ଚାଲାଣକାରୀମାନେ ବେଆଇନ ଭାବେ ମୂଲ୍ୟବାନ ଗଛ କାଟି ଚାଲାଣ କରୁଛନ୍ତି। ସବୁ ଜାଣି ବନ ବିଭାଗ ନୀରବଦ୍ରଷ୍ଟା ସାଜିଥିବାବେଳେ ଅମୂଲ୍ୟ ପ୍ରାକୃତିକ ସମ୍ପଦ ଉଜୁଡ଼ିବାରେ ଲାଗିଛି। ଏହା ବିରୋଧରେ ବିପ୍ରଡ଼ିହ ଗ୍ରାମବାସୀ ବୁଧବାର ଜିଲାପାଳଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି।

ଗ୍ରାମବାସୀଙ୍କ କହିବା କଥା, ବିପ୍ରଡିଡ଼ ଜଙ୍ଗଲ ବିଭିନ୍ନ ପ୍ରଜାତିର ମୂଲ୍ୟବାନ ବୃକ୍ଷରାଜି ସମ୍ଭାରରେ ପରିପୂର୍ଣ୍ଣ। ଏହି ଜଙ୍ଗଲ ସୀମାନ୍ତ ସାତକୋଶିଆକୁ ଲାଗିଛି। ଏହାର ଗୁରୁତ୍ୱ ଦୃଷ୍ଟିରୁ ୧୯୯୦ରେ ରାଜ୍ୟ ସରକାରଙ୍କ ଅନୁଦାନ ଏବଂ ବନ ବିଭାଗ ସହଯୋଗରେ ୧୧ ହଜାର ୭୫୦ ଶାଳ, ଶାଗୁଆନ, ପଟାସ ଚାରା ଲଗାଯାଇଥିଲା। ଏବେ ସେସବୁ ବଡ଼ ହୋଇଗଲାଣି, ଯାହା ଉପରେ ନଜର ପକାଇଛନ୍ତି କାଠଚୋର। ରାତିରେ ମେଶିନ ସହାୟତାରେ ସେମାନେ ଗଛ କାଟୁଛନ୍ତି। ବଡ଼ ଗାଡ଼ିରେ ବାହାରକୁ ଚାଲାଣ କରିଦେଉଛନ୍ତି। ବନ ବିଭାଗ ଠିକ୍‌ ଭାବେ ଯାଞ୍ଚ କରୁ ନ ଥିବାରୁ ସେମାନେ ଏହାର ସୁଯୋଗ ନେଉଛନ୍ତି। ଏପରି କି ଏଭଳି ବେଆଇନ କାର୍ଯ୍ୟରେ କେତେଜଣ ଅସାଧୁ ବନ କର୍ମଚାରୀଙ୍କ ହାତ ରହିଥିବା ଗ୍ରାମବାସୀ କହିଛନ୍ତି। ଏ ନେଇ ଗ୍ରାମବାସୀ ଧଣ୍ଡାତୋପା ବନ ବିଭାଗ ନିକଟରେ ବହୁବାର ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଜିଲା ବନ ବିଭାଗର ପଦସ୍ଥ ଅଧିକାରୀ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଏ ନେଇ ଧଣ୍ଡାଟୋପା ରେଞ୍ଜର ବି.ବି. ସାହୁଙ୍କ ପ୍ରତିକ୍ରିୟା ଲୋଡ଼ାଯାଇଥିଲା। ହେଲେ ସେ କୌଣସି ମନ୍ତବ୍ୟ ନ ଦେଇ ପ୍ରସଙ୍ଗ ଏଡ଼ାଇ ଦେଇଛନ୍ତି।