କେସିଙ୍ଗା,୨୭।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବିଭିନ୍ନ ଅଞ୍ଚଳରେ ଲୁଟପାଟ ଓ ଚୋରି ଘଟଣାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବାରମ୍ବାର ମୋବାଇଲ ଓ ଟଙ୍କା ଲୁଟ ଅଭିଯୋଗରେ କେସିଙ୍ଗା ପୋଲିସ ଦୀପୁ ନାୟକ ନାମକ ଜଣେ ଯୁବକଙ୍କୁ ଗତକାଲି ଗିରଫ କରି କୋର୍ଟଚାଲାଣ କରିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ହାତୀଖୋଜ ଗ୍ରାମର ଗୀତାଞ୍ଜଳି ସାହୁ କୌଣସି କାମରେ କେସିଙ୍ଗା ସହରକୁ ଆସିଥିବା ବେଳେ ରେଳବାଇ ଅଣ୍ଡରବ୍ରିଜ ଦେଇ ଯାଉଥିବା ସମୟରେ ଅଭିଯୁକ୍ତ ଦୀପୁ ତାଙ୍କଠାରୁ ୧ ହଜାର ଟଙ୍କା ଏବଂ ଗୋଟିଏ ମୋବାଇଲ ଛଡ଼ାଇ ନେଇଥିଲେ। ସେହିପରି ଦୁର୍ଗାମଣ୍ଡପ ନିକଟରୁ ସସ୍ମିତା କୁମାର ନାମକ ଅନ୍ୟ ଜଣେ ମହିଳାଙ୍କ ମୋବାଇଲ ମଧ୍ୟ ସେ ଲୁଟ କରିଥିବା ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ଚଢ଼ାଉ କରି ଅଭିଯୁକ୍ତ ଦୀପୁଙ୍କୁ କାବୁ କରିବା ସହ ଲୁଟ ସାମଗ୍ରୀ ସହିତ ୮ ଟି ମୋବାଇଲ ଜବତ କରି କୋର୍ଟଚାଲାଣ କରିଛି।
ତେବେ ସହରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାତିଅଧରେ ରେଳଷ୍ଟେଶନ ଯାଉଥିବା ଯାତ୍ରୀମାନେ ଥାନା ପାଖ ରାସ୍ତାରେ ମଧ୍ୟ ଲୁଟ୍ର ଶିକାର ହେଉଛନ୍ତି। ଏପରିକି ମଝିରେ ମଝିରେ ପୋଲିସ ପାଟ୍ରୋଲିଂ କରୁଥିଲେ ସୁଦ୍ଧା ଦୁର୍ବୃତ୍ତମାନେ ପୋଲିସ ଗାଡ଼ି ଉପରକୁ ଆକ୍ରମଣ କରିବାକୁ ମଧ୍ୟ ପଛାଉ ନାହାନ୍ତି। ଅଭିଯୁକ୍ତମାନେ ବାରମ୍ବାର ଗିରଫ ହୋଇ କୋର୍ଟରୁ ଜାମିନ୍ରେ ଆସିବା ପରେ ପୁଣି ସେହି ଅପରାଧ ଘଟାଉଥିବାରୁ ସାଧାରଣରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଅପରାଧୀଙ୍କ ପ୍ରତି କୌଣସି କୋହଳ ମନୋଭାବ ନ ଦେଖାଇ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହରବାସୀ ଦାବି କରିଛନ୍ତି।