Categories: ଖେଳ

ଉପଅଧିନାୟିକା ରହିଲେ ଦୀପ୍‌ଗ୍ରେସ୍‌

ନୂଆଦିଲ୍ଲୀ, ୫ା୭ (ପି.ଟି.): ୟୁରୋପ ଗସ୍ତ ପାଇଁ ୨୦ ଜଣିଆ ମହିଳା ହକି ଦଳ ଘୋଷଣା କରିଛି ହକି ଇଣ୍ଡିଆ। ଏହି ଦଳ ପ୍ରଥମେ ଜର୍ମାନୀରେ ମ୍ୟାଚ୍‌ ଖେଳିବା ସହିତ ସ୍ପେନ୍‌ରେ ଏକ ଚତୁଃରାଷ୍ଟ୍ରୀୟ ଟି୨୦ ଟୁର୍ନାମେଣ୍ଟ ଖେଳିବ। ଉଭୟ ଇଭେଣ୍ଟ ହାଙ୍ଗଝୌ ଏସିଆନ୍‌ ଗେମ୍ସ ପାଇଁ ପ୍ରସ୍ତୁତି ଶିବିର ରହିବ। ଆସନ୍ତା ସେପ୍ଟେମ୍ବରରେ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ। ଏହି ଦଳରେ ଗୋଲକିପର ସବିତା ପୁନିଆ ଅଧିନାୟିକା ରହିଥିବା ବେଳେ ଉପ ଅଧିନାୟିକା ପଦ ବଜାୟ ରଖିଛନ୍ତି ଓଡ଼ିଆ ଝିଅ ଦୀପ୍‌ଗ୍ରେସ୍‌ ଏକ୍କା। ଓଡ଼ିଶାର ଜ୍ୟୋତି ଛତ୍ରି ମଧ୍ୟ ଦଳର ଅନ୍ୟତମ ସଦସ୍ୟା ରହିଛନ୍ତି। ଜର୍ମାନୀରେ ଜୁଲାଇ ୧୬ରୁ ଭାରତୀୟ ଦଳ ୩ ମ୍ୟାଚର ଟେଷ୍ଟ ସିରିଜ୍‌ ଖେଳିବ। ପ୍ରଥମେ ଚାଇନା ବିପକ୍ଷରେ ଓ ପରବର୍ତ୍ତୀ ଦୁଇ ମ୍ୟାଚ୍‌ ଜର୍ମାନୀ ବିପକ୍ଷରେ ଖେଳିବେ ଭାରତୀୟ ମହିଳା। ଏହାପରେ ଜୁଲାଇ ୨୫ରୁ ୩୦ ମଧ୍ୟରେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ସ୍ପେନ୍‌କୁ ନେଇ ଏକ ଚୁତଃରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବ ଭାରତ। ସ୍ପାନିଶ ହକି ଫେଡେରେଶନର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବ।
ଅଷ୍ଟ୍ରେଲିଆ ଗସ୍ତରୁ ବିଶ୍ରାମ ପାଇଥିବା ଭେଟେରାନ ଡିଫେଣ୍ଡର ସୁଶୀଳା ଚାନୁ ପୁଖରାମବାମ ଓ ଫରଓ୍ବାର୍ଡ ଦୀପିକା ଦଳକୁ ଫେରିଛନ୍ତି। ସେହିପରି ଜାତୀୟ ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରିବା ପରେ ମିଡ୍‌ଫିଲ୍ଡର ବୈଷ୍ଣବୀ ବିଠଲ ଫାଲକେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭାରତୀୟ ଦଳ ପାଇଁ ଏହି ଗସ୍ତ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି, କୋଚ୍‌ ଜାନେକ୍‌ ଶପମାନ୍‌। ଶକ୍ତିଶାଳୀ ଦଳମାନଙ୍କ ବିପକ୍ଷରେ ଖେଳିବାର ଅଭିଜ୍ଞତା ଭାରତୀୟ ଦଳକୁ ମିଳିବ ବୋଲି ସେ କହିଛନ୍ତି।
ଭାରତୀୟ ଦଳ: ଗୋଲକିପର: ସବିତା (ଅଧିନାୟିକା), ବିଚୁ ଦେବୀ ଖରିବାମ।
ଡିଫେଣ୍ଡର: ଦୀପ୍‌ଗ୍ରେସ୍‌ ଏକ୍କା(ଉପ ଅଧିନାୟିକା), ନିକ୍କି ପ୍ରଧାନ, ଇଶିକା ଚୌଧାରୀ, ଉଦିତା, ସୁଶୀଳା ଚାନୁ ପୁଖରାମବାମ।
ମିଡ୍‌ଫିଲ୍ଡର: ନିଶା, ମୋନିକା, ସଲିମା ଟେଟେ, ନେହା, ନବନୀତ କୌର, ସୋନିକା, ବଲଜିତ କୌର, ବୈଷ୍ଣବୀ ବିଠଲ ଫାଲ୍‌କେ, ଜ୍ୟୋତି ଛତ୍ରି।
ଫରଓ୍ବାର୍ଡ: ଲାଲରେମସିଆମି, ବନ୍ଦନା କଟାରିୟା, ସଙ୍ଗୀତା କୁମାରୀ, ଦୀପିକା।

Share