ଡିପ୍‌ଫେକ୍‌-ନୂଆ ଆତଙ୍କ

ପ୍ରକାଶ ତ୍ରିପାଠୀ

 

ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ ବା କୃତ୍ରିମ ବୁଦ୍ଧିମତ୍ତା ଭଳି ନୂତନ ଜ୍ଞାନକୌଶଳ ଦିନକୁ ଦିନ ବ୍ୟାପକ ହେଉଛି। ଇଣ୍ଟରନେଟ ଦ୍ୱାରା ଆମର ଜୀବନଯାପନ ପ୍ରଣାଳୀ ସହଜ ଓ ସରଳ ତ ହେଉଛି ସତ, ମାତ୍ର ଏହାଦ୍ୱାରା ସୃଷ୍ଟ ଅନେକ ସଙ୍କଟ ଆମ ସାମାଜିକ ଜୀବନକୁ ପ୍ରଭାବିତ କରୁଛି । ଟ୍ରେନ୍‌, ବିମାନ ଟିକେଟ କରିବାଠାରୁ ହୋଟେଲ ବୁକ୍‌, ବ୍ୟାଙ୍କ ନେଣଦେଣ, କିଣାବିକା ସବୁକିଛି ଘରେ ବସି କରିପାରୁଛୁ। ଆଉ କିଛି ଲୋକ ଘରେ ବସି ଏହାରି ମାଧ୍ୟମରେ ସମସ୍ତଙ୍କୁ ସହଜ ଓ ସରଳ ଭାବେ ଠକି ବି ପାରୁଛନ୍ତି। ସାଇବର ଠକମାନଙ୍କ ଦ୍ବାରା ପ୍ରତି ମୁହୂର୍ତ୍ତରେ ଆମର ବ୍ୟାଙ୍କ ଆକାଉଣ୍ଟ ଖାଲି ହେବାର ସମ୍ଭାବନା ଥିବାବେଳେ ଏବେ ଆଉ ଏକ ନୂତନ ସଙ୍କଟ ଡିପ୍‌ଫେକ୍‌ ଭୟଭୀତ କଲାଣି। ଡିପ୍‌ଫେକ୍‌ କେବଳ ସାଧାରଣ ନାଗରିକମାନଙ୍କ ପାଇଁ ମାନସିକ ନିର୍ଯାତନାର କାରଣ ହୋଇନାହିଁ, ଏହା ଆମ ସାମାଜିକ ଜୀବନକୁ ଖିନ୍‌ଭିନ୍‌ କରିବାର ସାମର୍ଥ୍ୟ ରଖିଛି। ପ୍ରଥମେ ପ୍ରଥମେ କିଛି ସେଲିବ୍ରିଟି ଏହାର ଶିକାର ହୋଇଥିଲାବେଳେ ଆଗାମୀ ଦିନରେ ଏହାର ଶିକାର ଯେ କେହି ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଡିପ୍‌ଫେକ୍‌ର କୁପ୍ରଭାବକୁ ଦେଖି ଏହାକୁ ଆୟତ୍ତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। କିନ୍ତୁ କୃତ୍ରିମ ବୁଦ୍ଧିମତ୍ତା ସମ୍ପନ୍ନ ଏହି ଡିପ୍‌ଫେକ୍‌ ଆତଙ୍କ ଦମନ ସହଜ ନୁହେଁ ବୋଲି ଆଇଟି ବିଷାରଦମାନେ ଚିନ୍ତା କରୁଛନ୍ତି। କାରଣ ବ୍ୟାଙ୍କ ଆକାଉଣ୍ଟରେ କଳାକନା ବୁଲାଇବାରେ ସାଇବର ଠକମାନେ ଦିନକୁ ଦିନ ଯେଉଁପରି ଭାବରେ ସେମାନଙ୍କ ଅଭିଯାନ ଜାରି ରଖିଛନ୍ତି ଓ ଏହାକୁ ରୋକିବାରେ ସରକାରଙ୍କ ବିଫଳତା ଆମକୁ ବାଧ୍ୟ କରୁଛି ଯେ, ଯେକୌଣସି ମୁହୂର୍ତ୍ତରେ ଯେକୌଣସି ଲୋକ ଡିପ୍‌ଫେକ୍‌ର ଶିକାର ହୋଇଯିବ। ବଲିଉଡର କିଛି ଅଭିନେତ୍ରୀ ଓ କ୍ରୀଡ଼ାର କିଛି ସେଲିବ୍ରିଟି ଏହାର ଶିକାର ହୋଇସାରିଥିଲା ବେଳେ ଆଗାମୀ ଦିନରେ ପ୍ରତି କ୍ଷେତ୍ରରେ ଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ଯେ ଏହାର ଶିକାର ନ ହେବେ ସେକଥା କିଏ କହିବ।
ଡିପ୍‌ଫେକ୍‌ ହେଉଛି ଏକପ୍ରକାର କୃତ୍ରିମ ବୁଦ୍ଧିମତ୍ତା, ଯାହା ବୃତ୍ତଚିତ୍ର, ଅଡିଓ ଏବଂ ଭିଡିଓ ଠକେଇ ସୃଷ୍ଟି କରିବାରେ ବ୍ୟବହୃତ ହୁଏ। ଫଟୋଶପ ପାଇଁ ଏକବିଂଶ ଶତାବ୍ଦୀର ଏହା ସର୍ବଶ୍ରେଷ୍ଠ ଉପହାର, ଯାହାକି କୃତ୍ରିମ ବୁଦ୍ଧିମତ୍ତାକୁ ବ୍ୟବହାର କରି ନକଲି ଘଟଣାର ଚିତ୍ର ପ୍ରସ୍ତୁତ କରିବାରେ ସଫଳତା ପ୍ରଦାନ କରିଥାଏ। ଜଣେ ରାଜନେତାଙ୍କ ପାଟିରେ ନୂଆ ଶବ୍ଦ ରଖିବାକୁ, ତୁମର ପ୍ରିୟ ଚଳଚ୍ଚିତ୍ରରେ ଷ୍ଟାର ହେବାକୁ କିମ୍ବା ନାଚିବାକୁ ଚାହୁଁଛନ୍ତି କି? ତେବେ ଡିପ୍‌ଫେକ୍‌ ଆପଣଙ୍କୁ ସଫଳତା ଦେବ। କୃତ୍ରିମ ଇଣ୍ଟେଲିଜେନ୍ସ ଏବଂ ମେଶିନ ଲର୍ନିଙ୍ଗ ଆଲଗୋରିଦମ ବ୍ୟବହାର କରି ଏହାକୁ ବିକଶିତ କରାଯାଉଛି। ଏଥିରେ ଚିତ୍ର, ଶବ୍ଦ ଏବଂ ସ୍ବରକୁ ମାନିପ୍ୟୁଲେଟ ବା କାରସାଦି କରାଯାଇ ଲୋକ, ଘଟଣା କିମ୍ବା ଦୃଶ୍ୟର ବାସ୍ତବବାଦୀ ଭଳି ନକଲି ଉପସ୍ଥାପନା ସୃଷ୍ଟି କରାଯାଏ। ଏହାର ନକାରାତ୍ମକ ପରିଣାମ ସୁଦୂରପ୍ରସାରୀ ଓ ଭୟାନକ ହୋଇପାରେ। ଡିପ୍‌ଫେକ୍‌ ଦ୍ୱାରା ସୃଷ୍ଟି ହୋଇଥିବା ବଡ଼ ବିପଦ ହେଉଛି ମିଥ୍ୟା ତଥ୍ୟ ବିସ୍ତାର କରିବାର କ୍ଷମତା ଯାହା ବିଶ୍ୱସ୍ତ ଉତ୍ସରୁ ଆସୁଥିବା ପରି ଦେଖାଯାଏ। ଉଦାହରଣ ସ୍ବରୂପ, ୨୦୨୨ରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ତାଙ୍କ ସୈନ୍ୟମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଥିବା ଏକ ଡିପ୍‌ଫେକ୍‌ ଭିଡିଓ ଓ ଅନ୍ୟ ଜଣେ ଅର୍ଦ୍ଧନଗ୍ନ ମହିଳାଙ୍କ ଶରୀରରେ ଚଳଚ୍ଚିତ୍ର ଅଭିନେତ୍ରୀ ରଶ୍ମିକା ମଣ୍ଡନାଙ୍କ ମୁହଁର ଭିଡିଓର ଭାଇରାଲ ହେବା।
ଡିପ୍‌ଫେକ୍‌ର ଦୁଷ୍ପରିଣାମକୁ ଦେଖି ଅନେକ ବିଶିଷ୍ଟ ବ୍ୟକ୍ତି ଚିନ୍ତାପ୍ରକଟ କରିଛନ୍ତି। କୃତ୍ରିମ ବୁଦ୍ଧିମତ୍ତାକୁ ପ୍ରୟୋଗ କରି ଡିପ୍‌ଫେକ୍‌ ପ୍ରସ୍ତୁତ କରିବା ବର୍ତ୍ତମାନ ସମୟରେ ଅତ୍ୟନ୍ତ ଚିନ୍ତାଜନକ। ସାମ୍ପ୍ରତିକ ସମସ୍ୟାଗୁଡିକ ଭିତରେ ଏହା ସବୁଠାରୁ ଭୟାନକ ତଥା ଦେଶରେ ଅରାଜକତା ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି। ଏହା କେବଳ ଭାରତ ନୁହେଁ ଅନେକ ବିକାଶଶୀଳ ଦେଶରେ ଏହା ସାମାଜିକ ଓ ରାଜନୈତିକ ସମସ୍ୟା ସୃଷ୍ଟି କରିପାରେ। ଭାରତରେ ଜନସାଧାରଣ କୃତ୍ରିମ ବୁଦ୍ଧିମତ୍ତା ସମ୍ପର୍କରେ ଏତେଟା ସଚେତନ ନୁହନ୍ତି ଓ ଭୁଲ-ଠିକ୍‌ ତର୍ଜମା କରିବାରେ ବି ମାହିର ନୁହନ୍ତି। ତେଣୁ ଡିପ୍‌ଫେକ୍‌ କୁପ୍ରଭାବର ଶିକାର ହେବା ସ୍ବାଭାବିକ। ସଚେତନତା ଦ୍ବାରା ଏହାକୁ ରୋକା ଯାଇପାରିବ ବୋଲି ଯେତେ କୁହାଗଲେ ବି ଏହାର ସୁଫଳ ଏତେ ସହଜ ନୁହେଁ। ବିଜ୍ଞାନ ଦ୍ବାରା ବିକଶିତ ଏହି ଅଭିନବ ଜ୍ଞାନକୌଶଳ ଯେତେବେଳେ ବ୍ୟକ୍ତିର ଚରିତ୍ର ଓ ସାମାଜିକ ପ୍ରତିଷ୍ଠା ଉପରେ ଆଞ୍ଚ ଆଣିବାକୁ ସକ୍ଷମ ସେତେବେଳେ ସଚେତନତାର ଅର୍ଥ କେଉଁଠି ଆସିବ। ତେବେ କ’ଣ ସୋସିଆଲ ମିଡିଆକୁ ଆମେ ପରିତ୍ୟାଗ କରିଦେବା?
କୃତ୍ରିମ ବୁଦ୍ଧିମତ୍ତା ଆସିବା ପରେ ପତ୍ରକାରିତାଠାରୁ ଆରମ୍ଭକରି ସୁରକ୍ଷା ଜଗତ, ସବୁଠାରେ ଆଶା କରାଯାଉଥିଲା କି ଫେକ୍‌ ନ୍ୟୁଜ ଉପରେ ରୋକ ଲଗାଇବା ସହଜ ହେବ। ମାତ୍ର କିଛି ଲାଭ ହେଲା ନାହିଁ। ସୋସିଆଲ ମିଡିଆରେ ପ୍ରତିଦିନ ହଜାର ହଜାର ଫେକ୍‌ ଭିଡିଓ ଦେଖିବାକୁ ମିଳୁଛି, ଯାହାକି ଜନସାଧାରଣଙ୍କୁ ବିଭ୍ରାନ୍ତି କରିବାରେ ସହାୟକ ହେଉଛି। ବିଶେଷ କରି ରାଜନୈତିକ ଓ ମନୋରଞ୍ଜନ କ୍ଷେତ୍ରରେ ଏପରି ଅଧିକ ହେଉଥିବା ଦେଖିବାକୁ ମିଳୁଛି। ପୁରୁଷ ଅପେକ୍ଷା ମହିଳାମାନଙ୍କୁ ଏହି ଡିପ୍‌ଫେକ୍‌ ମାଧ୍ୟମରେ ଅଧିକ ନିନ୍ଦିତ କରାଯାଉଥିବା ଦେଖାଯାଉଛି। ଏହି ନୂତନ ଜ୍ଞାନକୌଶଳ ମାଧ୍ୟମରେ ମହିଳାମାନଙ୍କ ମୁହଁ ଓ ସ୍ବରକୁ ବଦଳାଯାଇ ଭାଇରାଲ କରାଯାଉଛି। ଅଶ୍ଳୀଳତାକୁ ମାଧ୍ୟମ କରି ସେମାନଙ୍କୁ ନିନ୍ଦିତ କରାଯାଉଛି। ପ୍ରକାଶ ଯୋଗ୍ୟ ଯେ, ବର୍ତ୍ତମାନ ଭାରତରେ ପ୍ରାୟ ୭୦ କୋଟି ଲୋକ ଇଣ୍ଟରନେଟ ବ୍ୟବହାର କରୁଛନ୍ତି। ଏହାର ସିଂହଭାଗ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି ଓ ପ୍ରତ୍ୟହ ସେମାନେ ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଅପଲୋଡ କରୁଛନ୍ତି ।
ଏମାନଙ୍କ ମଧ୍ୟରୁ କିଏ କେଉଁଦିନ ଡିପ୍‌ଫେକ୍‌ର ଶିକାର ଯେ ନ ହେବେ ସେକଥା କିଏ କହିବ।
କାଲିଫର୍ନିଆଠାରେ ଆୟୋଜିତ ବିଶ୍ବର ପ୍ରଥମ କୃତ୍ରିମ ବୁଦ୍ଧିମତ୍ତା ଶିଖର ସମ୍ମିଳନୀ -୨୦୨୩ରେ ଆମେରିକା, ଚାଇନା, ଭାରତ ସହିତ ୨୮ଟି ଉନ୍ନତ ରାଷ୍ଟ୍ର ଯୋଗଦେଇ କୃତ୍ରିମ ବୁଦ୍ଧିମତ୍ତାର ସମ୍ଭାବ୍ୟ ସଙ୍କଟର ମୁକାବିଲା ନିମନ୍ତେ ଆଲୋଚନା କରିଥିଲେ। କାରଣ ଡିପ୍‌ଫେକ୍‌ ଭଳି ଉନ୍ନତ କୃତ୍ରିମ ବୁଦ୍ଧିମତ୍ତା ବ୍ୟକ୍ତିର ଗୋପନୀୟତା, ଗାରିମା ଓ ପ୍ରତିଷ୍ଠା ଉପରେ ଆଞ୍ଚ ଆଣିପାରୁଛି । ବିଶେଷକରି ମହିଳାମାନଙ୍କ ଉପରେ ଏହାର କୁପ୍ରଭାବ ସର୍ବାଧିକ। ଡିପ୍‌ଫେକ୍‌ ମାଧ୍ୟମରେ ରାଜନୀତିକୁ ମଧ୍ୟ ପ୍ରଭାବିତ କରିବାର ପ୍ରଚେଷ୍ଟା କରାଯାଉଛି। ଯଦି ଗତ କିଛି ବର୍ଷର ସୋସିଆଲ ମିଡିଆକୁ ଭାରତରେ ବିଶ୍ଳେଷଣ କରାଯାଏ, ତେବେ ଏହାର ଅନେକ ପ୍ରମାଣ ରହିଛି। ରାଜନେତାଙ୍କ ଭାଷଣକୁ ବଦଳାଯାଇ ଏପରି ଭାଇରାଲ କରାଯାଉଛି ଯେ ଏହାଦ୍ବାରା ସାଧାରଣ ଜନତା ଭ୍ରମରେ ପଡ଼ିବା ସ୍ବାଭାବିକ। ଏହାଦ୍ୱାରା ଲୋକତନ୍ତ୍ର, ଶାସନ ବ୍ୟବସ୍ଥା ଦୁର୍ବଳ ହେବାର ସମ୍ଭାବନା ସହ ମାନବାଧିକାର କ୍ଷୁଣ୍ଣ ହେବାର ସମ୍ଭାବନା ବି ସୃଷ୍ଟି ହେଉଛି। ଇତିମଧ୍ୟରେ ଆମେରିକା ଓ ଚାଇନା ପକ୍ଷରୁ ସେମାନଙ୍କ ଦେଶରେ ଡିପ୍‌ଫେକ୍‌କୁ ପ୍ରତିରୋଧ କରିବା ପାଇଁ ଡିପ୍‌ଫେକ୍‌ ଟାସ୍କଫୋର୍ସ ଅଧିନିୟମ ଲାଗୁ କରାଯାଇଛି ଓ ଏହା ଉପରେ ନିୟନ୍ତ୍ରଣ ନିମନ୍ତେ ପ୍ରୟାସ ଆରମ୍ଭ ହୋଇଛି। ଗତ ଜି୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃତ୍ରିମ ବୁଦ୍ଧିମତ୍ତା ଉପରେ ନିଜର ଉଦ୍‌ବେଗ ପ୍ରକାଶ କରିବା ସହ ଏହାର ନକାରାତ୍ମକ ଦିଗ ସମାଜ ପାଇଁ ବିପଦ ସୃଷ୍ଟି କରିବ ବୋଲି ଚେତାବନୀ ଶୁଣାଇଥିଲେ ଓ ଏହାର ନିୟନ୍ତ୍ରଣ ନିମନ୍ତେ ଆହ୍ବାନ ଦେଇଥିଲେ। ଭାରତ ଭଳି ଏକ ଜନବହୁଳ ଓ ସଫଳ ଗଣତାନ୍ତ୍ରିକ ଦେଶରେ ଡିପ୍‌ଫେକ୍‌ ଅଧିକ କାୟା ବିସ୍ତାର ପୂର୍ବରୁ ଏହାକୁ ନିୟନ୍ତ୍ରଣ ଓ ପ୍ରତିରୋଧ କରିବା ପାଇଁ ତୁରନ୍ତ ଜରୁରୀ ପଦକ୍ଷେପ ନେବା ଦରକାର।

 

 


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri