ମୁକୁଳା ୧୧ କେଭି ଟ୍ରାନ୍ସଫର୍ମର ସାଙ୍ଗକୁ ଗଭୀର ଗର୍ତ୍ତ: ବଡ଼ ଅଘଟଣ ଆଶଙ୍କାରେ ଧୁଲିଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର,୭।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାଣୀଗୁମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧୁଲିଗୁଡ଼ା (ମାନିଆଁଗୁଡ଼ା) ଠାରେ ବିଦ୍ୟୁତ ବିଭାଗର ଅବହେଳା ଦେଖିବାକୁ ମିଳିଛି । ଥୁଆମୂଳ ରାମପୁର-ଭବାନୀପାଟଣା ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ ଆବାସିକ ଗୃହ ନିକଟରେ ଏକ ୧୧ କେଭି ଟ୍ରାନ୍ସଫର୍ମର ଦୀର୍ଘ ଦିନ ହେବ ସମ୍ପୂର୍ଣ୍ଣ ମୁକୁଳା ଅବସ୍ଥାରେ ପଡ଼ିରହିଛି । ଏହାର ଚାରିପାଖରେ ସୁରକ୍ଷା ପାଚେରୀ ନଥିବା ବେଳେ ସ୍ଥାପନ ସ୍ଥାନରେ ଏକ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି, ଯାହା ବିପଦକୁ ଦ୍ୱିଗୁଣିତ କରିଛି ।

ଏହି ଟ୍ରାନ୍ସଫର୍ମର ଦ୍ୱାରା ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୨ଟି ପରିବାର ବିଦ୍ୟୁତ ସେବା ପାଉଛନ୍ତି । ହେଲେ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଗ୍ରାମର ଛୋଟ ପିଲା ଏବଂ ଗୃହପାଳିତ ଗାଈ-ଗୋରୁଙ୍କ ଜୀବନ ସର୍ବଦା ବିପନ୍ନ ହୋଇପଡ଼ିଛି । ବିଶେଷ କରି ରାତି ସମୟରେ ଅନ୍ଧାର ଯୋଗୁଁ ଏହି ଗଭୀର ଖାତରେ ପଡ଼ି କେହି ମଧ୍ୟ ସିଧାସଳଖ ହାଇଭୋଲ୍ଟେଜ୍ ମୁକୁଳା ତାର ସଂସ୍ପର୍ଶରେ ଆସିବାର ବ୍ୟାପକ ଆଶଙ୍କା ରହିଛି । ଏନେଇ ବିଭାଗୀୟ ଯନ୍ତ୍ରୀ ଶୁଭ୍ରତଜିତ୍ ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି, “ଅଞ୍ଚଳର ଏଭଳି ସମସ୍ୟା ଗୁଡ଼ିକୁ ଆମେ ବୈଠକରେ ଉପରସ୍ଥ ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରୁଛୁ ।

ନିର୍ଦ୍ଦେଶ ଅନୁଯାୟୀ, ପ୍ରଥମେ ଅତି ଜରୁରୀ ବିପଦପୂର୍ଣ୍ଣ ସ୍ଥାନଗୁଡ଼ିକରେ ପାଚେରୀ ନିର୍ମାଣ କରାଯାଉଛି। ଧୁଲିଗୁଡ଼ା ଗ୍ରାମର ଏହି ସମସ୍ୟା ବାବଦରେ ଆମେ ପୁନର୍ବାର ଉପରସ୍ଥ ଅଧିକାରୀଙ୍କୁ ଜଣାଇବୁ ଏବଂ ଅନୁମୋଦନ ମିଳିବା ମାତ୍ରେ ତୁରନ୍ତ କାର୍ଯ୍ୟ କରାଯିବ ବୋଲି କହିଛନ୍ତି । କୌଣସି ଧନଜୀବନ ହାନି ହେବା ପୂର୍ବରୁ ବିଦ୍ୟୁତ ବିଭାଗ ତୁରନ୍ତ ଏହି ମାରାତ୍ମକ ଗର୍ତ୍ତକୁ ପୋତିବା ସହ ଟ୍ରାନ୍ସଫର୍ମର ଚାରିପାଖେ ମଜବୁତ ପ୍ରାଚୀର ନିର୍ମାଣ କରନ୍ତୁ, ନଚେତ୍ ଏହାକୁ ଅନ୍ୟତ୍ର ସ୍ଥାପନ କରନ୍ତୁ ବୋଲି ଧୁଲିଗୁଡ଼ା ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି ।

 

Dharitri – Odisha’s No.1 Odia Daily

Share