୪୭ ଗ୍ରାମ ବାଲ୍ୟବିବାହ ମୁକ୍ତ ଘୋଷଣା ନିଷ୍ପତ୍ତି

ଢେଙ୍କାନାଳ ଅଫିସ, ୩୦।୩ – ୨୦୧୯-୨୦ ଆର୍ଥିକ ବର୍ଷରେ ଢେଙ୍କାନାଳ ଜିଲାର ୪୭ ଗ୍ରାମରେ ଗୋଟିଏ ବି ବାଲ୍ୟବିବାହ ହୋଇନାହିଁ। ଏସବୁ ଗ୍ରାମକୁ ଜିଲା ପ୍ରଶାସନ ପକ୍ଷରୁ ବାଲ୍ୟବିବାହମୁକ୍ତ ଘୋଷଣା କରାଯିବାକୁ ନିଷ୍ପତ୍ତି ହୋଇଛି। ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ମଙ୍ଗଳବାର ଅନୁଷ୍ଠିତ ‘ଶିଶୁ ପାଇଁ ଦିନଟିଏ’ ଏବଂ ଜିଲାସ୍ତରୀୟ ତ୍ରୈମାସିକ ଟାସ୍କଫୋର୍ସ ବୈଠକରେ ଅଧ୍ୟକ୍ଷତା କରି ଜିଲାପାଳ ସରୋଜ କୁମାର ସେଠୀ ଏହି ସୂଚନା ଦେଇଛନ୍ତି।
ଜିଲାରେ ବାଲ୍ୟବିବାହ, ଶିଶୁ ଶ୍ରମିକ ପ୍ରଥା, ଶିଶୁ ନିର୍ଯାତନା ଭଳି ସାମାଜିକ ବ୍ୟାଧିର ମୂଳୋତ୍ପାଟନ ଏବଂ କିଶୋରୀ, କିଶୋରଙ୍କ ଦକ୍ଷତା ବୃଦ୍ଧି ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରଖି ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ବିଦ୍ୟାଳୟକୁ ଆଣିବା, ସେମାନଙ୍କ ଦକ୍ଷତା ବୃଦ୍ଧି କରାଇବା ପାଇଁ ଯତ୍ନବାନ ହେବା, ନବ ନିର୍ବାଚିତ ସରପଞ୍ଚ, ଏସ୍‌ଏଚ୍‌ଜିକୁ ଏବିଷୟରେ ଅବଗତ କରାଇବା, ଗ୍ରାମାଞ୍ଚଳରେ ସଚେତନତା ବାର୍ତ୍ତା ପହଞ୍ଚାଇବାକୁ ରଥ ପରିକ୍ରମା ଆୟୋଜନ କରିବା, ଶିଶୁକନ୍ୟାଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି। ଜିଲା ସମାଜ ମଙ୍ଗଳ ଅଧିକାରୀ ଜ୍ୟୋତ୍ସ୍ନା ରାୟ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। କିଶୋରୀ, କିଶୋରଙ୍କ ଦକ୍ଷତା ବୃଦ୍ଧି ପାଇଁ ୧୯ ଶିବିର ଆୟୋଜନ କରାଯାଇଛି। ୯ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଥଇଥାନ କରାଯାଇଛି। ୧,୧୮୩ଜଣଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରାଯାଇଛି। ୧୫ ଶିଶୁଙ୍କୁ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି। ନିକଟ ଅତୀତରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହାୟତାରେ ୧୨ ବାଲ୍ୟବିବାହ ରୋକାଯାଇପାରିଥିବା ୟୁନିସେଫ୍‌ର ଜିଲା ସଂଯୋଜିକା ଅଙ୍ଗୁରବାଳା ମିଶ୍ର ସୂଚନା ଦେଇଛନ୍ତି। ବୈଠକରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ, ଜିଲା ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାସ, ଡିଏସ୍‌ପି ଅର୍ଚ୍ଚନା ଟୁଡୁ, ଜିଲା ଶ୍ରମ ଅଧିକାରୀ, ଜିଲା ଶିଶୁ କଲ୍ୟାଣ କମିଟି ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।