ନୀତିନ ନବୀନଙ୍କୁ ଭେଟିଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୬।୫: ଭାଜପାରେ ଆନୁଷ୍ଠାନିକ ଭାବେ ଯୋଗଦାନ  ପରେ ଦେବାଶିଷ ସାମନ୍ତରାୟ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି।

ସୂଚନା ଅନୁସାରେ, ଦେବାଶିଷ ସାମନ୍ତରାୟ ଭାଜପାରେ ଯୋଗଦାନ ପରେ  ଆଲୋଚନା କରିବା ପାଇଁ ନୀତିନ ନବୀନଙ୍କୁ ସାକ୍ଷାତ କରିଥିଲେ। ଏହି ସାକ୍ଷାତକାର ସମୟରେ ରାଜ୍ୟର ରାଜନୈତିକ ପରିସ୍ଥିତି ଓ ଦଳୀୟ କାର୍ଯ୍ୟକ୍ରମ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି।ଏହି ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ସାମ୍ନାରେ ଦେବାଶିଷ ସାମନ୍ତରାୟ ଦଳର ଲକ୍ଷ୍ୟ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।ଭାଜପାରେ ନୂତନ ଭାବେ ଯୋଗଦେଇଥିବା ଦେବାଶିଷ ସାମନ୍ତରାୟ ଆଗାମୀ ଦିନରେ ଦଳକୁ ସୁଦୃଢ଼ କରିବା ସହ ଓଡ଼ିଶାରେ ସଂଗଠନକୁ ଆହୁରି ମଜଭୁତ କରିବାରେ କାମ କରିବେ ବୋଲି ସୂଚନା ମିଳିଛି।

ଭାଜପାରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିବା ପରେ ଦେବାଶିଷ ସାମନ୍ତରାୟ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ ଓ କାର୍ଯ୍ୟଶୈଳୀରେ ପ୍ରଭାବିତ ହୋଇ ସେ ଭାଜପାରେ ଯୋଗ ଦେବାକୁ ସିଦ୍ଧାନ୍ତ ନେଇଥିଲେ।

ଏହା ସହ ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ସହିତ ଓଡ଼ିଶା ମଧ୍ୟ ବିକାଶର ପଥରେ ଆଗକୁ ବଢ଼ୁଛି। ଏହି ଭିଜନର ଅଂଶୀଦାର ହେବା ପାଇଁ ସେ ଭାଜପାକୁ ଚୟନ କରିଛନ୍ତି।ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, “ଗୁଣ୍ଡୁଚି ମୂଷା” ଭଳି ଛୋଟ ଭାବରେ ହେଉଥିଲେ ମଧ୍ୟ ଦେଶ ଓ ରାଜ୍ୟର ଉନ୍ନତିରେ ସହଯୋଗ କରିବା ପାଇଁ ସୁଯୋଗ ମିଳିଥିବାରୁ ସେ କୃତଜ୍ଞ।

Dharitri – Odisha’s No.1 Odia Daily

Share