ଚର୍ଚ୍ଚାରେ ରାଜ୍ୟ ରାଜନୀତି: ବିଜେଡି ଛାଡ଼ିବା ପଛରେ ମୂଳ କାରଣ କହିଦେଲେ ଦେବାଶିଷ, ଶ୍ରୀମୟୀ ଦେଇଥିଲେ…

ଭୁବନେଶ୍ୱର,୨୫।୫:  ରାଜ୍ୟ ରାଜନୀତିରେ ଏକ ବଡ଼ ହଲଚଲ। ରାଜ୍ୟ ସଭା ଏମ୍ ପି ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିଛନ୍ତି। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି।
ତେବେ ଏ ନେଇ ଦେବାଶିଷ କହିଛନ୍ତି, ଦଳୀୟ ସଂଗଠନରେ ତାଙ୍କର କର୍ତ୍ତୃତ୍ୱ କ୍ରମେ କମିଯାଇଥିବାରୁ ସେ ଅସନ୍ତୁଷ୍ଟ ଥିଲେ। ତଥାପି ତାଙ୍କ ସମର୍ଥକମାନଙ୍କୁ ଯଥୋଚିତ ଗୁରୁତ୍ୱ  ଦିଆ ନ ଯିବା ଓ କୌଣସି ପଦବୀ ନ ମିଳିବାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ସେ ଶୀଘ୍ର ଦଳ ଛାଡ଼ି ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ୍ ହେବେ ବୋଲି ସ୍ପଷ୍ଟ କରିଛନ୍ତି।
ଦୀର୍ଘଦିନ ଧରି ବିଜେଡି ସହିତ ଜଡିତ ଥିବା ଦେବାଶିଷଙ୍କ ଦଳ ଛାଡିବାକୁ ନେଇ  ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ତାଙ୍କର ଭାଜପାରେ  ଯୋଗଦାନ ଆଗାମୀ ଦିନରେ ରାଜ୍ୟର ରାଜନୀତିକ ସମୀକରଣକୁ ପ୍ରଭାବିତ କରିପାରେ ବୋଲି  ମଧ୍ୟ ଏକପ୍ରକାରେ ଚର୍ଚ୍ଚା ହେଉଛି। ତେବେ ସେ କେବେ  ଔପଚାରିକ ଭାବେ ଭାଜପାରେ ଯୋଗଦେବେ, ସେନେଇ ସ୍ପଷ୍ଟ କରିନାହାନ୍ତି।

ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ ଦେବାଶିଷ । ସେ ହେଉଛନ୍ତି ବିଜେଡିର ପୁରୁଖା ନେତା । କିନ୍ତୁ ସେ ବିଭିନ୍ନ କାରଣରୁ ଦଳ ଉପରେ ଅସନ୍ତୁଷ୍ଟ ଥିଲେ ।  ଗତ କିଛି ମାସ ହେଲା ସେ ଦଳୀୟ ବ୍ୟାପାରରେ ମଧ୍ୟ ସାମିଲ ହେଉନଥିବା ଚର୍ଚ୍ଚା ହେଉଥିଲା । ଦଳ ନେଇ ସେ କୌଣସି ଟିପ୍ପଣୀ ମଧ୍ୟ ଦେଉନଥିଲେ ।  ଶ୍ରୀମୟୀ ମିଶ୍ର ସୋସିଆଲ ମିଡିଆରେ ଏନେଇ ପୂର୍ବରୁ ଇଙ୍ଗିତ କରିଥିଲେ । ପୁଣି ଗୋଟେ ୱିକେଟ୍ ପଡ଼ିବ ବୋଲି ଲେଖିଥିଲେ । ଏହାରି ଭିତରେ ଦେବାଶିଷ ଆଜି ଦଳ ଛାଡିଛନ୍ତି ।

Dharitri – Odisha’s No.1 Odia Daily

Share