ଭୁବନେଶ୍ୱର, ୨୮।୫: ଭାଜପାରେ ମିଶିବା ପରେ ଖବରଦାତା ସମ୍ମିଳନୀ କରି ବିଜେଡି ଉପରେ ପୁଣି ବର୍ଷିଛନ୍ତି ଦେବାଶିଷ ସାମନ୍ତରାୟ। ଦେବାଶିଷ କହିଛନ୍ତି, ମୁଁ ଏବେ ଘରକୁ ଫେରିବା ଭଳି ମୋର ମନେ ହେଉଛି। ବିଜେଡିରେ ଥିବା ବେଳେ ମୁଁ ଅଣନିଶ୍ୱାସୀ ହୋଇ ରହିଥିଲି। ନବୀନ ନିବାସକୁ ହଠାତ୍ ଯିବାକୁ ମୋତେ ମନା କରାଗଲା। ନବୀନ ବାବୁ କହିଥିଲେ ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହେଁ। ହେଲେ ପାଣ୍ଡିଆନ ଭୈରବ ହୋଇ ନବୀନଙ୍କ ପାଖକୁ କାହାକୁ ଛାଡିଲେନି।
ବିଜୁ ବାବୁଙ୍କୁ ଜାଣିନଥିବା ଲୋକ କରିଛନ୍ତି ବିଜୁ ଫାଉଣ୍ଡେଶନ। ବିଜୁ ବାବୁଙ୍କୁ ସମ୍ମାନ ହେବାରେ ବିଜେଡି ଅସମର୍ଥ। ଏବେ ବିଜୁ ଜନତା ଦଳରେ ମାଆବାପା ବୋଲି କେହି ନାହାନ୍ତି। ଏବେ ଭାଜପା ମୋତେ ଯେଉଁ କାମ ହେବ, ସେ କାମ ନିଶ୍ଚୟ କରିବି ବୋଲି ଦେବାଶିଷ କହିଛନ୍ତି।
ସେପଟେ ଦେବାଶିଷ ଇସ୍ତଫା ଦେବା ପରେ ରାଜ୍ୟ ସଭାରେ ଗୋଟିଏ ସିଟ ଖାଲିପଡିଛି। ଏନେଇ ରାଜ୍ୟ ସଭା ଉପନିର୍ବାଚନ ପାଇଁ ECI ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଜୁନ ୧ରେ ବିଧିବଦ୍ଧ ବିଜ୍ଞପ୍ତି ପାଇବ। ଜୁନ ୮ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିବାବେଳେ ଜୁନ ୧୧ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଜୁନ ୧୮ ତାରିଖ ସକାଳ ୯ରୁ ଅପରାହ୍ଣ ୪ଟା ମଧ୍ୟରେ ଭୋଟ ଗ୍ରହଣ । ଅପରାହ୍ଣ ୫ଟାରେ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ। ତେବେ ରାଜ୍ୟ ସଭାକୁ ଭାଜପା କାହାକୁ ପଠାଇବ ସେନେଇ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ଦେବାଶିଷ ରାଜ୍ୟ ସଭା ଯାଇପାରନ୍ତି। ଏହି ସମୟରେ ଭାଜପା ନେତା ସୁରେଶ ପୂଜାରୀ ବଡ଼ ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜ୍ୟ ସଭାରେ ଆଗରୁ ସଂଖ୍ୟା ଗରିଷ୍ଠତା ନ ଥିଲା, ଏବେ ମେଜରିଟି ଅଛି। ଏବେ ପୁଣି ଭାଜପାର ଆଉ ଗୋଟିଏ ସିଟ ବଢିବ। ସୁଜିତ୍ କୁମାର, ମମତା ମହନ୍ତ ଇସ୍ତଫା ଦେଇ ରାଜ୍ୟ ସଭା ଗଲେ। ଯିଏ ଇସ୍ତଫା ଦେଇ ଆସିଛନ୍ତି, ତାଙ୍କ ସମ୍ଭାବନା ଅଧିକ ରହିଛି। ତେବେ କିଏ ପ୍ରାର୍ଥୀ ହେବେ ସେନେଇ ଦଳ ନିଷ୍ପତ୍ତି ନେବ ବୋଲି ସୁରେଶ ପୂଜାରୀ କହିଛନ୍ତି।