ଅଗଣାରେ ଛିଡ଼ା ହୋଇଥିଲା ମୃତ୍ୟୁ

କେନ୍ଦୁଝର/ତେଲକୋଇ୧୭।୨: କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ ଅଧୀନ ଜଗମୋହନପୁର ଗ୍ରାମରେ ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଜାନକୀ ପ୍ରଧାନ। ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ସୂଚନା ଯୋଗ୍ୟ, ମଙ୍ଗଳବାର ରାତିରେ ଜନକୀ ଘରୁ ବାହାରକୁ ଆସିଥିଲେ। ସେତିକିବେଳେ ସେ ଘର ଅଗଣାରେ ଏକ ଦନ୍ତା ହାବୁଡରେ ପଡିଯାଇଥିଲେ। ଦନ୍ତାଟି ତାଙ୍କୁ ଦଳିଦେଇଥିଲା। ଖବର ପାଇ ବନ କର୍ମଚାରୀ ଓ ପୋଲିସ ପହଞ୍ଚି ଥିଲେ। ହେଲେ ଗ୍ରାମବାସୀ ପରିବାର ଲୋକଙ୍କୁ କ୍ଷତିପୂରଣ ଓ ସୁରକ୍ଷା ଦାବି କରିଥିଲେ। ବୁଝାଶୁଝା କରିବା ସହ ୪୦ ହଜାର ଅନୁକମ୍ପା ମୂଳକ ସହାୟତା ଏବଂ ପରେ ଅଧିକ କ୍ଷତିପୂରଣ ଦେବା ପାଇଁ ସହମତି ପ୍ରକାଶ ପାଇବା ପରେ ଗ୍ରାମବାସୀ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଛାଡିଥିଲେ। ଚଳିତ ବର୍ଷ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଆହତ ହୋଇଥିବା ରେଞ୍ଜ ଅଧିକାରୀ ପ୍ରମୋଦ ସେଠୀ କହିଛନ୍ତି। କେନ୍ଦୁଝର ଡିଏଫଓ ସ୍ବୟମ ମଲ୍ଲିକ କହିଛନ୍ତି, କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଦେବା ସହ ହାତୀର ଗତିବିଧି ଉପରେ ନଜର୍‌ ରଖାଯାଇଛି।