ଭଞ୍ଜନଗର,୫ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗିଡ଼ିପାବାଲିରେ ଗତ ୨୮ ତାରିଖରେ ଭୂସ୍ଖଳନ ଯୋଗୁ ୧୩ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତଦେହ ଦୁଇଦିନ ପୂର୍ବେ ଉଦ୍ଧାର କରାଯାଇଥିବା ବେଳେ ଗୁରୁବାର ଆଉ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି।
ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି। ଉଦ୍ଧାର କାର୍ଯ୍ୟରେ ଦମକଳ ବାହିନୀ, ଓଡ୍ରାଫ୍, ଏନ୍ଡିଆର୍ଏଫ୍, ରେଳ ବିଭାଗ ଓ ଏସ୍ଓଜି ବାହିନୀ ନିୟୋଜିତ ଅଛନ୍ତି।
ସୂଚନାଯୋଗ୍ୟ, ମଙ୍ଗଳବାର ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ, କନ୍ଧମାଳ ଜିଲାପାଳ ଓ କନ୍ଧମାଳ ଏସ୍ପି ପ୍ରମୁଖ ନିଖୋଜ ପରିବାରର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଏବଂ ପ୍ରାୟ ୩୦ ଫୁଟ ଗଭୀର ପର୍ଯ୍ୟନ୍ତ ଖୋଜାଖୋଜି କରିବା ସତ୍ତ୍ୱେ ମୃତଦେହ ଥିବାର କୌଣସି ପ୍ରମାଣ ମିଳୁ ନ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ତେଣୁ ବୁଧବାର ବର୍ଷା ପାଇଁ ଖୋଜାଖୋଜି ବନ୍ଦ ରଖାଯାଇଥିଲା।
ଗୁରୁବାର ଓ ଶୁକ୍ରବାର ଆଉ ଦୁଇଦିନ ଉଦ୍ଧାର କାର୍ଯ୍ୟ ଜାରି ରଖିବାକୁ ସ୍ଥିର ହୋଇଥିଲା। ଏହି ସମୟ ମଧ୍ୟରେ ସଫଳତା ନ ମିଳିଲେ ପରିବାରର ପରମ୍ପରା ଓ ରୀତିନୀତି ଅନୁସାରେ ପ୍ରତୀକାତ୍ମକ ଶବଦାହ କରିବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏହାକୁ ନେଇ ନିଖୋଜଙ୍କ ପରିବାର ସଦସ୍ୟମାନେ ଦ୍ୱନ୍ଦ୍ୱରେ ଥିଲେ।
ତେବେ ଗୁରୁବାର ପୁନର୍ବାର ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବା ପରେ ଆଉ ୪ ଜଣଙ୍କ ମୃତଦେହ ମିଳିଥିବା ଖବର ସାମ୍ନାକୁ ଆସିବା ଘଟଣାକୁ ନେଇ ନୂଆ ଆଶା ସଞ୍ଚାର ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟର ପୂର୍ବ ସ୍ଥିତିକୁ ନେଇ ମଧ୍ୟ ନାନା ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ, ଏ ସମ୍ପର୍କରେ ଜଣେ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କିତ ସଠିକ୍ ତଥ୍ୟ ତାଙ୍କ ନିକଟରେ ପହଞ୍ଚିନାହିଁ। ସେ ଘଟଣାସ୍ଥଳକୁ ଯାଉଛନ୍ତି ଏବଂ ସେଠାରେ ପହଞ୍ଚିବା ପରେ ପ୍ରକୃତ ସ୍ଥିତି ଜଣାପଡ଼ିବ।