ଭାଜପା ନେତାଙ୍କୁ ଦେଉଥିଲେ ହତ୍ୟା ଧମକ: ଓଡ଼ିଆ ଯୁବକଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ପାରଳାଖେମୁଣ୍ଡି,୧୫ା୧(ଡି.ଏନ୍‌.ଏ): ଭାଜପା ନେତା ଏବଂ ମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ମେସେଜ ଓ କଲ୍‌ କରିବା ଅଭିଯୋଗରେ ମୁମ୍ବାଇ ପୋଲିସ ଜଣେ ଓଡ଼ିଆ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଗଜପତି ଜିଲା ସେରଙ୍ଗ ଥାନା ଖଜୁରୀପଦା ଫାଣ୍ଡି ଅନ୍ତର୍ଗତ କେ.ଝାଲରସିଂ ଗାଁର ଆଶିଷ ପରିଛା । ଗତ କିଛିଦିନ ତଳେ ଆଶିଷ ଉତ୍ତରପ୍ରଦେଶ, ହରିୟାଣା ଓ ମହାରାଷ୍ଟ୍ରର ବହୁ ଭାଜପା ନେତା ଓ ମନ୍ତ୍ରୀମାନଙ୍କୁ ସୋସିଆଲ ମିଡ଼ିଆରେ ହତ୍ୟା ଭଳି ଧମକପୂର୍ଣ୍ଣ ମେସେଜ ସହ କଲ କରିଥିଲେ। ଏନେଇ ମୁମ୍ବାଇ ବାଙ୍ଗୁରୁ ଲିଙ୍କରୋଡ଼ ଥାନାରେ ଗତ ୫ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା। ଏନେଇ ମୁମ୍ବାଇ ପୋଲିସର ଏକ ଟିମ୍‌ ୭ ତାରିଖରେ ଗାଁରେ ପହଞ୍ଚି ଆଶିଷଙ୍କୁ ଥାନାକୁ ନେଇଥିଲା। ପୋଲିସ ତାଙ୍କୁ ପଚରାଉଚରା କରିବା ସହ ମୋବାଇଲ ଫୋନ ଜବତ କରିଥିଲା। ଗତ ୧୨ ତାରିଖରେ ଆଶିଷଙ୍କୁ ଗିରଫ କରି ପାରଳାଖେମୁଣ୍ଡି ସିଜେଏମ୍‌ କୋର୍ଟରେ ହାଜର କରିଥିଲା ମୁମ୍ବାଇ ପୋଲିସ। ଅଧିକ ତଦନ୍ତ ପାଇଁ ମୁମ୍ବାଇ ପୋଲିସ ଆଶିଷଙ୍କୁ ରିମାଣ୍ଡରେ ନେଇଛି।

ବିଭିନ୍ନ ସମୟରେ ମହାରାଷ୍ଟ୍ର, ହରିୟାଣା ଅଞ୍ଚଳର ଭାଜପା ନେତାଙ୍କୁ ଧମକପୂର୍ଣ୍ଣ ମେସେଜ ଦେଉଥିଲେ ଆଶିଷ। ମୁମ୍ବାଇ ପୋଲିସ ମୋବାଇଲ ଫୋନ ଟ୍ରାକ୍‌ କରି ଓଡ଼ିଶା ଆସି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଜୀବନ୍ତ କର ନାମକ ଜଣେ ବ୍ୟକ୍ତି ମୋବାଇଲ ଫୋନକୁ ବ୍ୟବହାର କରୁଥିବା ଜାଣିବାକୁ ପାଇଥିଲା। ଜୀବନ୍ତଙ୍କୁ ପଚରାଉଚରା ସମୟରେ ମୋବାଇଫୋନ ସହ ସିମକାର୍ଡ ତାଙ୍କୁ ଆଶିଷ ଆଣିଦେଇଥିବା କହିଥିଲେ। ତେବେ ମୁମ୍ବାଇ ପୋଲିସ ଆଶିଷଙ୍କୁ ପଚରାଉଚରା ପରେ ଗିରଫ କରି ପାରଳାଖେମୁଣ୍ଡି ସିଜେଏମ୍‌ କୋର୍ଟରେ ହାଜର କରି ରିମାଣ୍ଡରେ ନେଇଥିବା ସେରଙ୍ଗ ଥାନା ଅଧିକାରୀ ଅଶୋକ ହାଂସଦା ପ୍ରକାଶ କରିଛନ୍ତି।