ଝାରପଡ଼ା ଜେଲରେ ଗ୍ରୀନ୍‌ ରେ’ ଇଣ୍ଟରନ୍ୟାଶନାଲ ଏମ୍‌ଡିଙ୍କ ମୃତ୍ୟୁ

ଭୁବନେଶ୍ୱର,୧୧ା୭(ବ୍ୟୁରୋ): ଭୁବନେଶ୍ୱର ଝାରପଡ଼ା ଜେଲରେ ରବିବାର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳର ମୀର ସଇରୁଦ୍ଦିନ। ସକାଳେ ସେ ଜେଲ ୱାର୍ଡରେ ବୁଲାବୁଲି କରୁଥିବା ବେଳେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଜେଲ୍‌ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ କହିଛନ୍ତି। ଏନେଇ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଲକ୍ଷ୍ମୀସାଗର ଥାନାକୁ ଖବର ଦିଆଯିବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୨୫/୨୨) ରୁଜୁ କରି ତଦନ୍ତ ଚଳାଇଛି। ସୋମବାର ପରିବାର ଲୋକଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରାଯିବ।
ସୂଚନାନୁଯାୟୀ, ମୃତ ମୀର୍‌ ଗ୍ରୀନ୍‌-ରେ ଇଣ୍ଟରନ୍ୟାଶନାଲ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଥିଲେ। ସେ ୨୦୧୫ରୁ ଓଡ଼ିଶା ସମେତ ୧୪ ଟି ରାଜ୍ୟର ଲୋକଙ୍କୁ ଅଧିକ ସୁଧର ଲୋଭ ଦେଖାଇ ବିଭିନ୍ନ ପ୍ରକାର ସ୍କିମ୍‌ରେ ୨ହଜାର କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା। ଏହାପରେ ଗିରଫ ହେବା ଭୟରେ ପରିବାର ସହ ନାଇଜେରିଆ ପଳାଇ ଯାଇଥିଲେ। ପରବର୍ତ୍ତୀ ସମୟରେ ସେ ନକଲି ପାସପୋର୍ଟ ବନାଇ ଭାରତ ଆସିଥିଲେ। ଯେଉଁଥିରେ ସେ ନିଜକୁ ବାଂଲାଦେଶର ନାଗରିକ ପରିଚୟ ଦେଇ ଅହମ୍ମଦ ହୁସେନ ନାମରେ (ଛଦ୍ମନାମ) ରହୁଥିଲେ। ସଇରୁଦ୍ଦିନ ଗତ ୫ ବର୍ଷ ତଳେ ଅର୍ଥାତ ୨୦୧୭ ଫେବୃୟାରୀରେ ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ଦ୍ବାରା ପଶ୍ଚିମବଙ୍ଗରୁ ଗିରଫ ହୋଇ ଝାରପଡ଼ା ଜେଲରେ ରହୁଥିଲେ। ଶୁକ୍ରବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଏ ବିଷୟରେ ଜେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। କିନ୍ତୁ କର୍ତ୍ତୃପକ୍ଷ ଧ୍ୟାନ ଦେଇ ନ ଥିଲେ। ରବିବାର ସେ ୱାର୍ଡରେ ଅଚେତ ହୋଇ ପଡ଼ିଯାଇଥିଲେ। ତାଙ୍କୁ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ଜଣେ କର୍ମଚାରୀ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ।