ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷାଙ୍କ ପରଲୋକ

ଦିଗପହଣ୍ଡି,୧୨ା୬(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀଙ୍କ ରବିବାର ଅପରାହ୍ନରେ ୨୭ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଥାଲାସେମିଆ (ରକ୍ତ ଶିକୁଳି) ରୋଗରେ ପୀଡିତ ଥିଲେ। ଶୁକ୍ରବାର ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁରସ୍ଥିତ ଏକ ଘରୋଇ କ୍ଳିନିକରେ ଭର୍ତ୍ତି ହୋଇଥିଲେ। ସୁସ୍ଥତା ଅନୁଭବ କରିବାରୁ ଘରକୁ ଫେରି ଆସିଥିଲେ। ରବିବାର ଅପରାହ୍ନରେ ପୁଣି ଗୁରୁତର ହେବାରୁ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାମୀ କୃଷ୍ଣଚନ୍ଦ୍ର ସେଠୀ ଭର୍ତ୍ତି କରାଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦିଗପହଣ୍ଡି ବିଡିଓ ଡ. ଚିତ୍ତରଞ୍ଜନ ଦାସ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ପୂର୍ବତନ ସରପଞ୍ଚ କେ. ହରିବନ୍ଧୁ ରେଡ୍ଡୀ, ପୂର୍ବତନ ବ୍ଳକ ବିଜେଡି ସଭାପତି ଉଦୟନାଥ ସ୍ବାଇଁ, ପୂର୍ବତନ ନଗର ବିଜେଡି ସଭାପତି ପ୍ରମୋଦ କୁମାର ପାଣିଗ୍ରାହୀ, ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, କାଉନସିଲର ଦୀପକ କୁମାର ମିଶ୍ର, ବିଧାୟକ ପ୍ରତିନିଧି ବିଭୂତି ଭୂଷଣ ମହାପାତ୍ର ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି। ରାତି ପ୍ରାୟ ୮ଟାରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଦିଗପହଣ୍ଡି ବସଷ୍ଟାଣ୍ଡ ନିକଟ ଦଳୀୟ କାର୍ଯ୍ୟାଳୟ ଏବଂ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାରେ ବହୁ ସଂଖ୍ୟକ ଦଳୀୟ ନେତୃବୃନ୍ଦ, କର୍ମୀ, ସରକାରୀ ପଦାଧିକାରୀ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ଗୋକର୍ଣ୍ଣପୁର ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।