ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମର ସିମାଞ୍ଚଳ ନାୟକ (୧୯)ବୋଲି ଜଣାପଡିଛି ।
ଗାଁରେ କୌଣସି କାମଧନ୍ଦା ନମିଳିବାରୁ ସିମାଞ୍ଚଳ ହାଇଦ୍ରାବାଦ ସହରକୁ ଯାଇ ସେଠାରେ ଏକ ହୋଟେଲରେ କାମ କରି ଜୀବିକା ନିର୍ବାହ କରୁଥିଲେ । ଦୁଇଦିନ ତଳେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କ ସହିତ ରହୁଥିବା ସାଙ୍ଗମାନେ ତାଙ୍କୁ ଏକ ସରକାରୀ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଶନିବାର ମୃତ୍ଯୁ ହୋଇଯାଇଛି । ତାଙ୍କ ସାଙ୍ଗସାଥି ନିଜ ଉଦ୍ୟମରେ ମୃତଦେହକୁ ଧରି ରବିବାର ନିଜ ଗ୍ରାମ ଅଭିମୁଖେ ବାହାରିଥିବା ଜଣାପଡିଛି ।
ପ୍ରକାଶ ଯେ ମାଣ୍ଡିପଙ୍କା ଗ୍ରାମରେ ଗତ ୨୦୨୪ମସିହାରେ ଖାଦ୍ୟ ଅଭାବ ଯୋଗୁଁ ଅଞ୍ଚଳବାସୀ ଆମ୍ବ ଟାକୁଆ ଖାଇ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏବେ ମଧ୍ୟ ଉକ୍ତ ଅଞ୍ଚଳର ଲୋକଙ୍କ ରୋଜଗାର ନମିଳିବାରୁ ବାହାର ରାଜ୍ୟକୁ ଦାଦନ ପାଇଁ ଯାଉଥିବା ବେଳେ ଅକାଳରେ ମୃତ୍ୟୁ ବରଣ କରୁଥିବା ଅଭିଯୋଗ ହେଉଛି ।