ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା: ବାଲେଶ୍ୱର, ମୟୂରଭଞ୍ଜ ଗଲା ସ୍ବତନ୍ତ୍ର ଟିମ୍‌

ପାରଳାଖେମୁଣ୍ଡି,୧୮ା୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି। ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁର ତଦନ୍ତ ପାଇଁ ପାରଳାଖେମୁଣ୍ଡି ଥାନାଧିକାରୀଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ୍‌ ଗଠନ କରାଯାଇଛି। ତେବେ ଅଧିକ ଖୋଳତାଡ଼ ପାଇଁ ଗଜପତି ପୋଲିସର ଏହି ସ୍ବତନ୍ତ୍ର ଟିମ୍‌ ରବିବାର ବାଲେଶ୍ୱର ଓ ମୟୂରଭଞ୍ଜ ଗସ୍ତ କରିଛି।

ବାଲେଶ୍ୱର ଜିଲା ଖଇରା ଅଞ୍ଚଳରେ ସୌମ୍ୟରଞ୍ଜନଙ୍କ ଘର ହୋଇଥିବାରୁ ସେଠାକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବ ଏହି ଟିମ୍‌। ସୌମ୍ୟରଞ୍ଜନଙ୍କ ବାପା ଅଭିଯୋଗ କରିଛନ୍ତି, ସୌମ୍ୟ ଓ ବିଦ୍ୟାଭାରତୀଙ୍କ ବୈବାହିକ ଜୀବନରେ ଅଶାନ୍ତି ଥିବା ସେ ମା’ ଓ ମାଇଁଙ୍କୁ ଫୋନ୍‌ କରି ଅଧିକ ସମୟରେ କହୁଥିଲେ। ଏନେଇ ପୋଲିସ ସେମାନଙ୍କୁ ପଚରାଉଚରା କରିବ।

ଅନ୍ୟପକ୍ଷରେ ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀ ଏବେ ତାଙ୍କ ବାପଘରେ ରହୁଥିବାରୁ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରିବ ଏହି ଟିମ୍‌।