ଚିତ୍ରଶିଳ୍ପୀ ପଦ୍ମନାଭଙ୍କ ପରଲୋକ

ସମ୍ବଲପୁର,୨୩ା୯(ବି.ଶଙ୍କର): ସାରଳା ପୁରସ୍କାରପ୍ରାପ୍ତ ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମନାଭ ମିଶ୍ରଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଶୁକ୍ରବାର ସକାଳେ ପରଲୋକ ହୋଇଛି। ତାଙ୍କୁ ୮୩ ବର୍ଷ ହୋଇଥିଲା। ପୁରୀ ସ୍ବର୍ଗଦ୍ୱାରରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଛି। ପୁତ୍ର ସିଦ୍ଧାର୍ଥ ମୁଖାଗ୍ନି ଦେଇଥିଲେ। ତାଙ୍କ ପଛରେ ସେ ସ୍ତ୍ରୀ ଆହ୍ଲାଦିନୀ ମିଶ୍ର, ପୁତ୍ର ସିଦ୍ଧାର୍ଥ, ଦୁଇ ଝିଅ, ଜ୍ୱାଇଁ ଓ ନାତିନାତୁଣୀଙ୍କୁ ଛାଡ଼ିଯାଇଛନ୍ତି। ତାଙ୍କ ପରଲୋକରେ ସମ୍ବଲପୁର ସହରର କଳାକାର ମହଲରେ ଶୋକ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ପଦ୍ମନାଭ ସୋନପୁର ସହରରେ ଜନ୍ମଗ୍ରହଣ କରିଥିଲେ। ସେଠାରୁ ଶିକ୍ଷା ସମାପ୍ତ କରି ଚିତ୍ରକଳା ଶିକ୍ଷା ପାଇଁ ବିଶ୍ୱଭାରତୀ ଶାନ୍ତିନିକେତନ ଯାଇ ୧୯୬୫ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୬୭ରେ ଗଙ୍ଗାଧର ମେହେର ମହାବିଦ୍ୟାଳୟ ଉଦ୍ଭିଦ ବିଭାଗରେ ଆର୍ଟିଷ୍ଟ ଫଟୋଗ୍ରାଫର ଭାବେ ଯୋଗଦେଇ ସେହିଠାରୁ ଅବସର ନେଇଥିଲେ। ଗୀତା ଶ୍ଳୋକକୁ ନେଇ ସେ ୧୪ଟି ପେଣ୍ଟିଂ ପ୍ରସ୍ତୁତ କରିଥିଲେ। ଏହି ପେଣ୍ଟିଂ ଭୁବନେଶ୍ୱର ସୂଚନା ଭବନରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା। ଏଥିପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ତାଙ୍କୁ ମର୍ଯ୍ୟାଦାଜନକ ସାରଳା ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏଥିସହ ସନ୍ଥ କବି ଭୀମଭୋଇ, ହରିବଂଶ ରାୟ ବଚ୍ଚନ, ଶ୍ରୀନିବାସ ଉଦ୍‌ଗାତାଙ୍କ କବିତା ଉପରେ ପେଣ୍ଟିଂ କରି ସେ ବେଶ ଚର୍ଚ୍ଚିତ ହୋଇଥିଲେ। ସମ୍ବଲପୁର ସହରର ଚିତ୍ରକଳା ଅନୁଷ୍ଠାନ ଚିତ୍ରଭୂମି, ଚିତ୍ରଶାଳା, ସମ୍ବଲପୁର କଳା ଏକାଡ଼େମୀ, ବନ୍ଦନା ଆର୍ଟ କର୍ଣ୍ଣର, ଅଙ୍କନ, ଆୟରିଶ, ରୂପାଙ୍କନ, ସାଇଶିକ୍ଷା ପରିଷଦ, ଉଡ଼ାନ, ରାଫେଲ, ତୁଳିକା, ଅଞ୍ଜଳି ଆର୍ଟ କର୍ଣ୍ଣର, ଚିତ୍ରକାର, ଦ ଆର୍ଟ ସ୍କୁଲ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଗଭୀର ଶୋକ ପ୍ରକାଶ କରାଯାଇଛି।