ପ୍ରେମିକଙ୍କ ସହ ବୁଲିବାକୁ ଯାଇ ଅଙ୍ଗନଓ୍ବାଡି କର୍ମୀଙ୍କ ମୃତ୍ୟୁ, ବଳାତ୍କାର ପରେ ହତ୍ୟା ଅଭିଯୋଗ ଆଣିଲେ ମା’

ଗୋପାଳପୁର,୧୩ା୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଅଟୋନଗର ଅଞ୍ଚଳରେ ଜଣେ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ବୈଶାଳୀ ପାଣ୍ଡେ (୨୬)। ତେବେ ତାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ମା’।
ସୂଚନା ଅନୁସାରେ, ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ବୀରଭଦ୍ରପୁର ଗ୍ରାମର ବୈଶାଳୀ ପାଣ୍ଡେଙ୍କ ସହିତ ରାୟଗଡ଼ା ଅଞ୍ଚଳର ସଙ୍କେତ ସେନାପତିଙ୍କ ଗତ ଦେଢ଼ ବର୍ଷ ତଳେ ଫେସ୍‌ବୁକ୍‌ରେ ବନ୍ଧୁତା ଆରମ୍ଭ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ିଉଠିଥିଲା। ବୈଶାଳୀ ଅଙ୍ଗନଓ୍ବାଡ଼ି କର୍ମୀ ଥିବା ବେଳେ ସଙ୍କେତ କଟକସ୍ଥିତ ଜେକେ ଟାୟାର କମ୍ପାନୀରେ ଏରିଆ ମ୍ୟାନେଜର ରୂପେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ଅପରାହ୍ନରେ ବୈଶାଳୀ ଟ୍ରେନ୍‌ ଯୋଗେ ବ୍ରହ୍ମପୁର ଆସିଥିଲେ। ପରେ ଅଟୋନଗରରେ ଥିବା ହୋଟେଲ ‘ନିର୍ମଳା ପ୍ଲାଜା’ର ରୁମ୍‌ ନଂ ୨୦୫ରେ ସେ ଓ ସଙ୍କେତ ରହିଥିଲେ। ସନ୍ଧ୍ୟାରେ ଉଭୟ ଗୋପାଳପୁର ବେଳାଭୂମି ବୁଲିବାକୁ ଯାଇଥିଲେ। ସେଠାରେ ଅସୁସ୍ଥ ଅନୁଭବ କରିବାରୁ ହୋଟେଲକୁ ଫେରିଆସିଥିଲେ। ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ବୈଶାଳୀ ଅଚେତ ହୋଇ ଗୁରୁତର ହୋଇପଡ଼ିଥିଲେ। ସଙ୍କେତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବୈଶାଳୀଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଶୁକ୍ରବାର ସଙ୍କେତ ଜନ୍ମଦିନ ପାଳନ ପାଇଁ ଭୁବନେଶ୍ୱର ଯାଉଥିବା ନେଇ ବୈଶାଳୀ ତାଙ୍କ ମା’ଙ୍କୁ ଜଣାଇଥିଲେ। ଶନିବାର ବୈଶାଳୀଙ୍କ ମା’ ତାଙ୍କ ଝିଅକୁ ବଳାତ୍କାର କରି ହତ୍ୟା କରିଥିବା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ କେସ୍‌ ନଂ ୨୩/୨୪ ଅନୁଯାୟୀ ବଳାତ୍କାର ଓ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଥାନାଧିକାରୀ ବିବେକାନନ୍ଦ ମହନ୍ତ, ଏସ୍‌ଆଇ ଜ୍ଞାନରଞ୍ଜନ ସାହୁ ଓ ସାଇଣ୍ଟିଫିକ୍‌ ଟିମ୍‌ ହୋଟେଲ ରୁମ୍‌ରେ ପହଞ୍ଚି ନମୁନା ସଂଗ୍ରହ କରିବା ସହ କିଛି ଔଷଧ ଓ ଜୋତା ଜବତ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ପୋଲିସ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ପ୍ରେମିକ ସଙ୍କେତଙ୍କୁ ବ୍ରହ୍ମପୁର ଏସପି ଥାନାରେ ପହଞ୍ଚି ପଚରାଉଚରା କରୁଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡ଼ିବ।