ଛତ୍ରପୁର,୫ା୧୧(ଦିଲ୍ଲୀପ ସାମଲ): କେରଳରେ ସଡ଼କ ଦୁର୍ଘଟଣାରେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଝରପୋଖରୀ ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଗ୍ରାମର ଜଗବନ୍ଧୁ ଦାସଙ୍କ ପୁଅ ଶୁଭମ।
ସୂଚନା ଅନୁଯାୟୀ, ଶୁଭମ କେରଳର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। କାର୍ଯ୍ୟ ସାରି ଫେରୁଥିବା ସମୟରେ ଏକ ଆମ୍ବୁଲାନ୍ସ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଦୁଃଖଦ ଘଟଣା ପରେ ଶୁଭମଙ୍କ ମୃତଦେହକୁ ଗାଁକୁ ଫେରାଇ ଆଣିବା ଏବଂ ତାଙ୍କର ବକେୟା ପ୍ରାପ୍ୟ ସହ ସରକାରୀ ସହାୟତା ଯୋଗାଇଦେବା ନିମନ୍ତେ ପରିବାରବର୍ଗ ଏବଂ ବିଜେଡିର ଏକ ପ୍ରତିନିଧି ଦଳ ଗୁରୁବାର ଛତ୍ରପୁରସ୍ଥିତ ଜିଲା ଶ୍ରମ କାର୍ଯ୍ୟାଳୟରେ ପହଞ୍ଚି ଜିଲା ଶ୍ରମ ଅଧିକାରୀ (ଡିଏଲଓ) ବର୍ଷାରାଣୀ ଜେନାଙ୍କୁ ଭେଟି ଗୁହାରି କରିଥିଲେ।
ଏହି ଅବସରରେ ମୃତ ଶୁଭମଙ୍କ ଭାଇ ପ୍ରଶାନ୍ତ ଦାସଙ୍କ ସମେତ ଯୁବନେତା ଅଭିରାମ ପ୍ରଧାନ, ସନ୍ତୋଷ ବେହେରା, ଟିକିନା ଗୌଡ଼, ଛତ୍ରପୁର ବ୍ଲକ ବିଜେଡି ସଭାପତି ଏସ. ଚକ୍ରପାଣି ରେଡ୍ଡୀ ଓ ଯୁବ ବିଜେଡି ନେତା ରାଜେଶ ମହାରଣା ଉପସ୍ଥିତ ରହି ଡିଏଲଓଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଶୁଭମଙ୍କ ମୃତଦେହ ଶୀଘ୍ର ଘରକୁ ଫେରାଇ ଆଣିବା ସହ ପରିବାରକୁ ନିୟମ ଅନୁଯାୟୀ ଆର୍ଥିକ ସହାୟତା ଓ ବକେୟା ପ୍ରାପ୍ୟ ପ୍ରଦାନ ପାଇଁ ସେମାନେ ଅନୁରୋଧ କରିଥିଲେ।