ଆଖି ବୁଜିଲେ ବଳାତ୍କାର ଶିକାର ନାବାଳିକା

ବାରିପଦା ଅଫିସ, ୩ା୫: ମୟୂରଭଞ୍ଜ ଜିଲା ଚାନ୍ଦୁଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ବଳାତ୍କାର ପୀଡିତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ମୃତ୍ୟୁ ଘଟିଛି। ଏନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ରଙ୍ଗାମାଟିଆ ଅଞ୍ଚଳର ବାହାଦୂର ଚପିଆର(୨୦) ସମ୍ପୃକ୍ତ ନାବାଳିକାଙ୍କୁ ୫ ଦିନ ଧରି ବଳାତ୍କାର କରିଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୪୮/୨୧) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି।
ପୋଲିସ ସୂଚନା ଅନୁଯାୟୀ, ଗତ ୨୫ତାରିଖ ରାତିରେ ସମସ୍ତେ ଖାଇସାରି ଶୋଇଥିବା ବେଳେ ନାବାଳିକା ଜଣକ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନ ଥିଲେ। ତେବେ ଉକ୍ତ ଅଞ୍ଚଳର କିଛି ପିଲା ଶୁକ୍ରବାର ଖେଳୁଥିବା ବେଳେ ଏକ ପାଣି ଟାଙ୍କି ଉପରେ ନାବାଳିକା ଜଣକ ଅସହାୟ ଅବସ୍ଥାରେ ପଡ଼ିଥିବା ଦେଖି ଗାଁ ଲୋକଙ୍କୁ ଜଣାଇଥିଲେ। ପରେ ସ୍ଥାନୀୟ ସରପଞ୍ଚଙ୍କଠାରୁ ଖବର ପାଇ ଚାନ୍ଦୁଆ ଥାନା ଅଧିକାରୀ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲେ।