ମେଡିକାଲ ଆଗରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ଅଭିଯୋଗ

ବେଲପାହାଡ଼,୩ା୭(ସୁବାସ ପ୍ରଧାନ): ବେଲପାହାଡ଼ ପୌରାଞ୍ଚଳରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ କାଣ୍ଡ ଘଟିଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଏବଂ ଉତ୍ତେଜନା ପ୍ରକାଶ ପାଇଛି। ମୁଚବାହାଲ ମେଡିକାଲ ସମ୍ମୁଖ ରାସ୍ତାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଲେ ଝାଡ଼ଖଣ୍ଡ ଗୁମୁଲା ଗ୍ରାମର ସୁଜନ କୁମାର ମାହାତ (୩୯)।

ସୂଚନାନୁଯାୟୀ, ସୁଜନ ଦୀର୍ଘ ୨୦ ବର୍ଷ ହେବ ମୁଚବାହାଲ ଗ୍ରାମରେ ରହି ଆସୁଥିଲେ ଏବଂ ଲଖନପୁର କୋଇଲାଖଣିର ଏକ ଘରୋଇ କମ୍ପାନୀରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ସକାଳେ ମୁଚବାହାଲ ମେଡିକାଲ ସମ୍ମୁଖ ରାସ୍ତାରେ ସୁଜନଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା। ଗ୍ରାମବାସୀ ସଙ୍ଗେ ସଙ୍ଗେ ଏ ନେଇ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ବେଲପାହାଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସାଇଣ୍ଟିଫିକ ଟିମ୍‌କୁ ମଧ୍ୟ ତଦନ୍ତରେ ସାମିଲ କରାଯାଇଛି। ବେଲପାହାଡ଼ ପୋଲିସ ପାରିପାର୍ଶ୍ୱିକ ସ୍ଥିତି ଏବଂ ମୃତଦେହର ଅବସ୍ଥାକୁ ଦେଖି ପୋଲିସ ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପ୍ରାଥମିକ ଅନୁମାନ କରୁଛି। ତେବେ ହତ୍ୟା ପଛର ପ୍ରକୃତ କାରଣ ଓ ଅଭିଯୁକ୍ତମାନଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି।

Dharitri – Odisha’s No.1 Odia Daily

Share