ପାଇକମାଳ,୨୫।୬(ବଡ଼ ଶତପଥୀ)- ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତାର ହାତ ବଢ଼ାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ପୀଡ଼ିତ ପରିବାରକୁ ତୁରନ୍ତ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ ଯେ, ସମ୍ପ୍ରଦାୟ ବାହାରେ ପୁଅ ବିବାହ କରିଥିବା ଦର୍ଶାଇ ଗ୍ରାମବାସୀ ଜଣେ ବୃଦ୍ଧଙ୍କ ଶେଷକୃତ୍ୟରେ ସହଯୋଗ କରିବାକୁ ମନା କରିଦେଇଥିଲେ । ଫଳରେ ପରିବାର ଲୋକଙ୍କୁ ବୃଦ୍ଧଙ୍କ ଶବକୁ ସାଇକେଲରେ ବୋହିବାକୁ ପଡ଼ିଥିଲା। ଏହି ସମ୍ବେଦନଶୀଳ ଖବର ସାମ୍ନାକୁ ଆସିବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି।
ପାଇକମାଳ ତହସିଲଦାର ସିନ୍ଧୁସୁତା ପାତ୍ର କଣ୍ଟାପଡ଼ା ଗ୍ରାମରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଏହି ସହାୟତା ରାଶିର ଚେକ୍ ହସ୍ତାନ୍ତର କରିଛନ୍ତି । ଏହା ସହିତ ପାଇକମାଳ ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ପରିବାରକୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯାଇଛି। ହରିଶ୍ଚନ୍ଦ୍ର ଯୋଜନା ମାଧ୍ୟମରେ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ୩,୦୦୦ ଟଙ୍କା ଏବଂ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଜରୁରୀକାଳୀନ ଖାଦ୍ୟ ସହାୟତା ସ୍ୱରୂପ ୫୦ କିଲୋଗ୍ରାମ ଚାଉଳ ମଧ୍ୟ ପରିବାରର ସମ୍ପର୍କୀୟଙ୍କୁ ଭେଟି ପ୍ରଦାନ କରାଯାଇଛି।