ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା ଛକ ନିକଟରେ ରାସ୍ତା କୂଳରେ ଥିବା ଏକ ବୁଦା ମୂଳରୁ ସୋମବାର ଏହି ହରିଣଟି ମରି ପଡ଼ିଥିଲା।

ସୂଚନା ଅନୁସାରେ, ହରିଣଟିର ମୁହଁରୁ ପ୍ରଚୁର ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳିଛି। ନିଧିପଣ୍ଡା ଓ ଏହାର ଆଖପାଖ ଅଞ୍ଚଳରେ କୌଣସି ବଡ଼ ଜଙ୍ଗଲ ନଥିବା ସହ ପୂର୍ବରୁ ଏଠାରେ ବନ୍ୟଜନ୍ତୁ ଦେଖାଯାଇ ନ ଥିବାରୁ ଘଟଣାଟି ସନ୍ଦେହଜନକ ମନେହେଉଛି।

ସ୍ଥାନୀୟ ଲୋକଙ୍କ ଆଶଙ୍କା ନୁସାରେ, କୌଣସି ଦୁର୍ବୃତ୍ତ ହରିଣଟିକୁ ବେଆଇନ ଭାବେ ଚୋରା ଚାଲାଣ କରୁଥିବାବେଳେ ପୋଲିସ ଧରପଗଡ଼ ଭୟରେ ସେଠାରେ ଫିଙ୍ଗି ଚାଲିଯାଇଥିବା ସମ୍ଭାବନା ରହିଛି।ଜାତୀୟ ରାଜପଥ ପାର୍ଶ୍ୱରେ  ହରିଣ ପଡ଼ିଥିବା ଖବର ପାଇ ଘଟଣାସ୍ଥଳରେ ବହୁ ସଂଖ୍ୟକ ଲୋକ ଭିଡ଼ କରିଥିଲେ। ଏ ନେଇ ପୋଲିସ ଓ ବନ ବିଭାଗକୁ ସୂଚନା ଦିଆଯାଇଛି।

ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ହରିଣର ମୃତଦେହର ବ୍ୟବଚ୍ଛେଦ (ପୋଷ୍ଟମର୍ଟମ୍) ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।

Dharitri – Odisha’s No.1 Odia Daily

Share