ହୃଦୟବିଦାରକ ଦୃଶ୍ୟ! ରାସ୍ତା ନଥିବାରୁ ଖଟିଆରେ ବୁହାହେଲା ଗର୍ଭବତୀଙ୍କ ମୃତଦେହ, ଶିଶୁ ବି..

ଗୁଡ଼ାରୀ,୩୦।୬(ପ୍ରମୋଦ କୁମାର ପତି ): ଗୁଡ଼ାରୀ ବ୍ଲକ କର୍ଲାଘାଟି ଗ୍ରାମପଞ୍ଚାୟତର ପେଟାଖାଲ ଗ୍ରାମରୁ ସ୍ବାସ୍ଥ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆସିଛି । ଗର୍ଭବତୀ ସେବତୀ ନାରେଙ୍ଗାକାଙ୍କ ମୃତ୍ୟୁ ହେବା ପରେ ତାଙ୍କ ମୃତଦେହକୁ ପ୍ରାୟ ୩ ରୁ ୪ କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୋହି ଗାଁକୁ ନେବାକୁ ପଡ଼ିଥିଲା।

ସୂଚନା ମୁତାବକ ଗର୍ଭବତୀ ସେବତୀ ନାରେଙ୍ଗାକା ପ୍ରସବ ପାଇଁ ପ୍ରାୟ ୧୫ ଦିନ ଧରି ଗୁଡ଼ାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକତ୍ସାଧିନ ଥିଲେ।ଗତ ୨୬ ତାରିଖ ଶୁକ୍ରବାର ଦିନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ରେଫର କରାଯାଇଥିଲା। ହେଲେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ନବଜାତ ଶିଶୁ ମଧ୍ୟ ବଞ୍ଚିପାରି ନଥିଲା।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗୁଡ଼ାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ରୋଗ ବିଶେଷଜ୍ଞ ନଥିବାରୁ ଜଟିଳ ପ୍ରସବ ହେଲେ ରୋଗୀଙ୍କୁ ଗୁଣୁପୁରକୁ ରେଫର କରାଯାଉଛି। ଗୁଣୁପୁରରୁ ଆମ୍ବୁଲାନ୍ସରେ ମୃତଦେହକୁ ହେଣ୍ଡେଡ଼େପା ଆର୍.ଡି. ରାସ୍ତା ପର୍ଯ୍ୟନ୍ତ ଅଣାଯାଇଥିଲା। କିନ୍ତୁ ପେଟାଖାଲ ଗ୍ରାମକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆଗକୁ ଯାଇପାରିନଥିଲା। ଫଳରେ ପରିବାର ଲୋକ ଓ ଗ୍ରାମବାସୀମାନେ ଖଟିଆରେ ମୃତଦେହକୁ ବୋହି ଗ୍ରାମକୁ ନେଇଥିଲେ। ଗ୍ରାମବାସୀ କହିଛନ୍ତି, ଏହା ପ୍ରଥମ ଘଟଣା ନୁହେଁ। ରାସ୍ତା ଅଭାବରୁ ପୂର୍ବରୁ ମଧ୍ୟ ଅସୁସ୍ଥ ରୋଗୀ ଓ ମୃତଦେହକୁ ଖଟିଆରେ ବୋହିବାକୁ ପଡ଼ିଛି। ବାରମ୍ବାର ପ୍ରଶାସନଙ୍କୁ ଜଣାଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇନାହିଁ।

ଏ ସମ୍ପର୍କରେ ଗୁଡ଼ାରୀ ସ୍ୱାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ସ୍ୱାଗତ ସ୍ୱାଇଁ କହିଛନ୍ତି ଯେ, ମହିଳାଙ୍କ ମୃତ୍ୟୁର କାରଣ ତଦନ୍ତ ଚାଲିଛି। ଏ ନେଇ ଗୁଡ଼ାରୀ ଥାନାରେ ଥାନା କେଶ ନମ୍ବର ୬/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। କେଉଁ ପରିସ୍ଥିତିରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଲା ସେ ସମ୍ପର୍କରେ ଜିଲା ପ୍ରଶାସନ ତଦନ୍ତ କରି ପଦକ୍ଷେପ ନେବା ଜରୁରୀ। ଏହି ଦୁଖଃଦ ଘଟଣାରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ପେଟାଖାଲ ଗ୍ରାମକୁ ସ୍ଥାୟୀ ସଡ଼କ ନିର୍ମାଣ କରିବା ସହ ଗୁଡ଼ାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ନିଯୁକ୍ତି ପାଇଁ ସାଧାରଣରେ ଦାବି ଧରିଛି।
ଏ ନେଇ ବିଡ଼ିଓ ଶୁଚିସ୍ମିତା ବେହେରା କହିଛନ୍ତି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଏହି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ପ୍ରଶାସନ ସଜାଗ ରହିଛି।

Dharitri – Odisha’s No.1 Odia Daily

Share
Tags: gudari news