ହାତ ଗୋଡ଼ ନ ଥିବା ମିଳିଲା ନାବାଳକଙ୍କ ମୃତଦେହ: ବଳି ସନ୍ଦେହ

ଅନୁଗୋଳ,୨୮ା୭(ଅମିତ କୁମାର ସାମଲ): ଅନୁଗୋଳ ଜିଲା ଆଠମଲ୍ଲିକ ବାରିଣୀ ଜଙ୍ଗଲରୁ ନାବାଳକଙ୍କ କ୍ଷତବିକ୍ଷତ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନାବାଳକଙ୍କ ଗୋଡ଼, ହାତ ନ ଥିବା ବେଳେ ବଳି ଦିଆଯାଇଥିବା ସନ୍ଦେହ କରାଯାଉଛି ।
ମିଳିଥିବା ସୂଚନା ମୁତାବକ, ଗତ ୨୩ ତାରିଖରେ ବାସନ୍ତୀ ବିଶ୍ୱାଳ ନାମ୍ନୀ ଜଣେ ମହିଳା ତାଙ୍କ ୧୪ ବର୍ଷୀୟ ପୁଅ ସଞ୍ଜିତଙ୍କ ଦେହ ଖରାପ ରହୁଥିବାରୁ ଟୁସର ଗାଁକୁ ଆସିଥିଲେ। ସେଠାରେ ସେ ମା’ ମଙ୍ଗଳାଙ୍କ ପୂଜାର୍ଚ୍ଚନା କରିଥିଲେ। ଏପରିକି ରାତିରେ ମା’ ମଙ୍ଗଳାଙ୍କ କୋଠିରେ ମା’ ପୁଅ ଅଧିଆ ପଡ଼ିଥିଲେ । ରାତିରେ ଶୋଇଥିବା ବେଳେ ସକାଳୁ ଉଠି ବାସନ୍ତୀ ଦେଖିବା ବେଳକୁ ତାଙ୍କ ପୁଅକୁ ପାଇ ନ ଥିଲେ। ଖୋଜାଖୋଜି ପରେ ମଧ୍ୟ ପୁଅ ସଞ୍ଜିତଙ୍କୁ ପାଇ ନ ଥିଲେ। ପରେ କିଆକଟା ଥାନାରେ ପୁଅ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ। ହେଲେ ଶୁକ୍ରବାର ବାରିଣୀ ଜଙ୍ଗଲରୁ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ହେଲେ ନାବାଳକଙ୍କ ଗୋଡ଼ ଓ ହାତ ନ ଥିବା ଜଣାପଡ଼ିଛି। ନାବାଳକଙ୍କ ମୃତ୍ୟୁକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ବଳି ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ବାରିଣୀ ଛକଠାରେ ଆଠମଲ୍ଲିକ-କିଆକଟା ରାସ୍ତା ଅବରୋଧ କରିଛନ୍ତି । ରାସ୍ତାରୋକୋ ବେଳେ ଉତ୍ତ୍ୟକ୍ତ ଲୋକେ ପୋଲିସ ଗାଡ଼ି ଜାଳି ଦେଇଛନ୍ତି। ଅନ୍ୟପକ୍ଷେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି।