ରାସ୍ତା ନଥିବାରୁ ନାଳ ପାଖରେ ଅଟକିଲା ଆମ୍ବୁଲାନ୍ସ ; ରାତିସାରା ଖୋଲା ଆକାଶ ତଳେ ପଡ଼ିରହିଲା ମୃତଦେହ, ସକାଳେ ୮ କିମି ବୋହିଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): ସ୍ୱାଧୀନତାର ୮୦ ବର୍ଷ ପୂର୍ତ୍ତି ଆଡ଼କୁ ଦେଶ ଆଗେଇ ଚାଲିଥିବା ବେଳେ ରାଜ୍ୟର ଦୁର୍ଗମ ଅଞ୍ଚଳରେ ଯାତାୟାତ ଓ ସ୍ୱାସ୍ଥ୍ୟସେବାର କରୁଣ ଚିତ୍ର ପୁଣି ଥରେ ପଦାରେ ପଡ଼ିଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ପାଡେପଦର ପଞ୍ଚାୟତ ଖମାରପଦର ଭାଟିଫାସ ଗ୍ରାମର ୩୫ ବର୍ଷୀୟ ଯୁବକ ସିବା ମାଝୀ ହାଇଦ୍ରାବାଦରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ଗତ ୧୦ ତାରିଖରେ ତାଙ୍କର ଅକାଳ ବିୟୋଗ ଘଟିଥିଲା। ମଙ୍ଗଳବାର ରାତିରେ ସମ୍ପୃକ୍ତ କମ୍ପାନୀ ପକ୍ଷରୁ ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହ ଗାଁକୁ ପଠାଯାଇଥିଲା। ତେବେ ଡୁମୁଣୀ ନାଳ ନିକଟରେ ରାସ୍ତାର ଅତ୍ୟାଧିକ କାଦୁଅ ଓ ଶୋଚନୀୟ ସ୍ଥିତି ଯୋଗୁଁ ଆମ୍ବୁଲାନ୍ସଟି ଆଉ ଆଗକୁ ଯାଇନପାରି ଅଟକି ଯାଇଥିଲା।

ଗ୍ରାମବାସୀ ଗାଡ଼ିଟିକୁ କାଢ଼ିବାକୁ ଚେଷ୍ଟା କରି ବିଫଳ ହେବାରୁ ରାତିସାରା ମୃତଦେହ ନାଳ ନିକଟରେ ପଡ଼ିରହିଥିଲା। ବୁଧବାର ସକାଳେ ଗ୍ରାମବାସୀ ଓ ପରିବାର ଲୋକେ ଏକ ଖଟିଆରେ ମୃତଦେହକୁ ବାନ୍ଧି ପ୍ରାୟ ୮ କିଲୋମିଟର କାଦୁଅ ରାସ୍ତାରେ ବୋହି ଗାଁକୁ ନେବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ନିଃସନ୍ତାନ ସିବାଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ରଶ୍ମି ମାଝୀ, ବୃଦ୍ଧା ମା’ ଯମୁନା ମାଝୀ ଏବଂ ପାରାଲିସିସ୍ ଆକ୍ରାନ୍ତ ଶ୍ବଶୁର ଅସହାୟ ହୋଇପଡ଼ିଛନ୍ତି। ନିଜସ୍ୱ ଜମି, ରାସନ କାର୍ଡ କିମ୍ବା ଆଧାର କାର୍ଡ ନଥିବାରୁ ଏହି ପରିବାର ସରକାରୀ ସାମାଜିକ ସୁରକ୍ଷା ଭତ୍ତା ଓ ମାଗଣା ଚିକିତ୍ସା ସହାୟତାରୁ ବଞ୍ଚିତ ରହିଛନ୍ତି।

ସ୍ଥାନୀୟ ଅଞ୍ଚଳରେ ରୋଜଗାର ଅଭାବରୁ ଯୁବକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ବାହାରି ଯାଉଛନ୍ତି । ଦୁରେଶପଦର ଶିବମନ୍ଦିର ଛକଠାରୁ ଡୁମୁଲି ନାଳ ପର୍ଯ୍ୟନ୍ତ ଯାଇଥିବା ରାସ୍ତାଟି ଦୀର୍ଘଦିନରୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ରାସ୍ତା ଉପରେ ଖମାରପଦର ସମେତ ଆଖପାଖ ପଞ୍ଚାୟତ ଓ ବ୍ଲକ୍‌ର ଅନେକ ଗ୍ରାମବାସୀ ନିର୍ଭର କରନ୍ତି । ଗାଁକୁ ପକ୍କା ରାସ୍ତାଟିଏ ନଥିବାରୁ ଏବଂ ଜରୁରୀକାଳୀନ ସେବା ନମିଳି ଶବକୁ ଖଟିଆରେ ବୋହିବା ଭଳି ଘଟଣା ପ୍ରଶାସନିକ ନିଷ୍କ୍ରିୟତାକୁ ସୂଚାଉଛି । ଯଥାଶୀଘ୍ର ସ୍ଥାୟୀ ରାସ୍ତା ସହ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।

ଥୁଆମୂଳ ରାମପୁର ବିଡିଓ ଧ୍ରୁବ ଚରଣ ମୁଦୁଲିଙ୍କ ସୂଚନା ଅନୁସାରେ, ଶ୍ରମ ବିଭାଗୀୟ ଅଧିକାରୀମାନେ ଉକ୍ତ ପରିବାର ନିକଟକୁ ଯାଇ ତଥ୍ୟ ସଂଗ୍ରହ କରିବା ପରେ ସରକାରୀ ନିୟମାନୁସାରେ ସମସ୍ତ ସହାୟତା ଯୋଗାଇ ଦିଆଯିବ। ସରକାରୀ ଯୋଜନାରୁ ବଞ୍ଚିତ ଥିଲେ ତଦାରଖ କରାଯାଇ ବ୍ୟବସ୍ଥା ହେବ। ଅନ୍ୟପକ୍ଷରେ, ଆର୍ଡି ବିଭାଗ ପକ୍ଷରୁ ଉକ୍ତ ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇସାରିଛି ଏବଂ ଖୁବ୍‌ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ।

 

Dharitri – Odisha’s No.1 Odia Daily