ବରୀ, ୭।୯ (ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ, ରାମଚନ୍ଦ୍ରପୁର ଥାନା ଅଧୀନସ୍ଥ ଗୋଳକୁଣ୍ଡ ପଞ୍ଚାୟତର ମେଣ୍ଢ ନିକଟରେ ଅର୍ଦ୍ଧନିର୍ମିତ ବ୍ରାହ୍ମଣୀ ସେତୁର ଏକ ଖମ୍ବରେ ଝୁଲନ୍ତା ଅବସ୍ଥାରେ ଥିବା ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ବରି ପୋଲିସ ଉଦ୍ଧାର କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।
ସୂଚନା ଅନୁଯାୟୀ, ବ୍ରାହ୍ମଣୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ସମୟରୁ ଏହି ଅଜଣା ମୃତଦେହଟି ସେତୁର ଖମ୍ବରେ ଝୁଲନ୍ତା ଅବସ୍ଥାରେ ରହିଥିବା ଜଣାପଡ଼ିଛି। ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହଟିକୁ ଦେଖି ବରୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
ପରେ ବରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ମୃତଦେହଟି ଝୁଲନ୍ତା ଅବସ୍ଥାରେ ମିଳିଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହତ୍ୟା ଆଶଙ୍କା ନେଇ ଚର୍ଚ୍ଚା ହେଉଛି। ତେବେ ଘଟଣାଟି ହତ୍ୟା ନା ଅନ୍ୟ କୌଣସି କାରଣରୁ ଘଟିଛି, ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।
ଏ ସମ୍ପର୍କରେ ବରୀ ଥାନା ଅଧିକାରିଣୀ ହେମଲତା ଦାସ କହିଛନ୍ତି ଯେ, ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ଏପର୍ଯ୍ୟନ୍ତ ବରୀ ଥାନାରେ କୌଣସି ନିଖୋଜ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇନଥିବା ସେ ସୂଚନା ଦେଇଛନ୍ତି।
Dharitri – Odisha’s No.1 Odia Daily

