Categories: ଖେଳ

ଭାରତ ବିପକ୍ଷରେ ୧୬ ଇନିଂସରେ ଡି’କକ୍‌ଙ୍କ ୬ଷ୍ଠ ଶତକ

କେପ ଟାଉନ,୨୩।୧: ଭାରତ ବିପକ୍ଷରେ ଏଠାରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପାଇଁ ୧୨୪ ରନ୍‌ର ଇନିଂସ ଖେଳିଥିଲେ କୁଇଣ୍ଟନ ଡି’କକ୍‌। ଟିମ୍‌ ଇଣ୍ଡିଆ ବିପକ୍ଷରେ ଏହା ଥିଲା ତାଙ୍କର ୬ଷ୍ଠ ଶତକ। ଏହି ଶତକ ସହ ଭାରତ ବିପକ୍ଷରେ ସର୍ବାଧିକ ଦିନିକଆ ଶତକ ହାସଲ କରିଥିବା ବ୍ୟାଟରଙ୍କ ତାଲିକାରେ ୨୯ ବର୍ଷୀୟ ଡି’କକ୍‌ ସାମିଲ ହୋଇଛନ୍ତି।

ଏହି ତାଲିକାରେ ଶୀର୍ଷରେ ରହିଛନ୍ତି ଶ୍ରୀଲଙ୍କାର ଶନଥ ଜୟସୁରିୟା। ସେ ଭାରତ ବିପକ୍ଷରେ ୮୫ ଇନିଂସ ଖେଳି ୭ ଶତକ ହାସଲ କରିଥିଲେ। ତାଙ୍କ ପଛକୁ ରହିଛନ୍ତି ଡି’କକ୍‌। ସେ ମାତ୍ର ୧୬ ଇନିଂସରେ ୬ଷ୍ଠ ଶତକ ହାସଲ କରିଛନ୍ତି। ତାଲିକାରେ ଏବି ଡି ଭିଲିୟର୍ସ (୩୨ ଇନିଂସ), ରିକି ପଣ୍ଟିଂ (୫୯ ଇନିଂସ) ଓ କୁମାର ସଙ୍ଗାକାରା (୭୧ ଇନିଂସ) ରହିଛନ୍ତି। ଏମାନଙ୍କ ନାମରେ ଭାରତ ବିପକ୍ଷରେ ୬ଟି ଲେଖାଏ ଶତକ ରହିଛି।

Share