ବେଆଇନ ଭାବେ ଚାଲିଛି ନିଶା ନିବାରଣ କେନ୍ଦ୍ର

ବାରିପଦା,୨ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲାରେ ଅବାଧରେ ନିଶା ନିବାରଣ କେନ୍ଦ୍ର ଖୋଲାଯାଇଛି। ପରିଚାଳନା ନିମନ୍ତେ କୌଣସି ବ୍ୟବସ୍ଥା ନ ଥିବାରୁ କେନ୍ଦ୍ରକୁ ଅପବ୍ୟବହାର କରାଯାଉଛି। ଏପରିକି ଅନ୍ତେବାସୀଙ୍କ ପ୍ରତି ଅମାନୁଷିକ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପରିଚାଳନାଗତ ତ୍ରୁଟି ସୁଧାରିବା ପାଇଁ କୌଣସି ପ୍ରତିବନ୍ଧକ ରହୁନାହିଁ। ନିଶା ନିବାରଣ କେନ୍ଦ୍ର ପାଇଁ ଆବଶ୍ୟକ ନିୟମାବଳୀ ଓ ସର୍ତ୍ତାବଳୀକୁ ଏଡ଼ାଇବାକୁ ଯାଇ ବିଭିନ୍ନ ଟ୍ରଷ୍ଟ୍‌ ଜରିଆରେ କେନ୍ଦ୍ର ପରିଚାଳନା କରୁଥିବା କାରବାରକୁ ରୋକ ଲଗାଇବାକୁ ନେଇ ଜିଲା ପ୍ରଶାସନ ବିଫଳ ହୋଇଛି। ସହରରେ ଏଭଳି ଅନେକ କେନ୍ଦ୍ର ରହିଥିବା ବେଳେ ପୋଲିସ ପ୍ରଶାସନ, ପୌର ପରିଷଦ ଓ ସରକାରୀସ୍ତରରେ କୌଣସି ହିସାବ ନ ଥିବା ସମସ୍ତଙ୍କୁ ଚକିତ କରିଛି।
ସହରର ପାଲବଣି, ଦେବେନ୍ଦ୍ରପୁର, କାଳିକାପୁର, ବାରୁଣୀ ରୋଡ୍‌ ଆଦି ଅଞ୍ଚଳରେ ବେଆଇନ କେନ୍ଦ୍ରଗୁଡ଼ିକ ଖୋଲାଯାଇଛି। ସେଥିମଧ୍ୟରୁ ମାତ୍ର ଗୋଟିଏ ନିଶା ନିବାରଣ କେନ୍ଦ୍ର ସରକାରୀ ସ୍ବୀକୃତିପ୍ରାପ୍ତ। କେନ୍ଦ୍ର ପରିଚାଳନା ପାଇଁ ଆବଶ୍ୟକ ନଥିପତ୍ର ଯାଞ୍ଚ କରା ନ ଯିବାରୁ ଅନିୟମିତତା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ନିଶା ନିବାରଣ କେନ୍ଦ୍ରଗୁଡ଼ିକରେ ସାମାଜିକ ସୁରକ୍ଷା କାର୍ଯ୍ୟାଳୟ କିମ୍ବା ପୋଲିସ ପକ୍ଷରୁ କୌଣସି ଯାଞ୍ଚ ମଧ୍ୟ କରାଯାଉନାହିଁ। କିଛି ମାସ ପୂର୍ବରୁ କାଳିକାପୁର ଅଞ୍ଚଳର ଏକ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ପ୍ରଶାସନ ପକ୍ଷରୁ ଉକ୍ତ କେନ୍ଦ୍ରକୁ ବନ୍ଦ କରିବା ସହ ମାଲିକକୁ କୋର୍ଟଚାଲାଣ କରାଯାଇଥିଲା। ପରବର୍ତ୍ତୀ ଦିନମାନଙ୍କରେ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହି ଜିଲା ପ୍ରଶାସନ ନିରବଦ୍ରଷ୍ଟା ସାଜିଛନ୍ତି। ଏ ସଂକ୍ରାନ୍ତରେ ଦାୟିତ୍ୱରେ ଥିବା ଜିଲା ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତ ସୋରେନ୍‌ କୁହନ୍ତି, ନିଶା ନିବାରଣ କେନ୍ଦ୍ରଗୁଡ଼ିକ ଖୋଲିବା ଓ ପରିଚାଳନା କରିବା ସମ୍ପର୍କରେ ବିଭାଗକୁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ। ସେହିପରି ପୌରପରିଷଦ ଅଞ୍ଚଳରେ କୌଣସି ବ୍ୟବସାୟ କରିବା ପୂର୍ବରୁ ଟ୍ରେଡ୍‌ ଲାଇସେନ୍ସ ପ୍ରଦାନ କରାଯାଇଥାଏ। ମାତ୍ର ଏଭଳି କୌଣସି ସଂସ୍ଥାକୁ ଲାଇସେନ୍ସ ପ୍ରଦାନ କରାଯାଇ ନ ଥିବା ବେଳେ ଟିକସ ଆଦାୟକାରୀଙ୍କ ଜରିଆରେ ସମସ୍ତ ନିଶା ନିବାରଣ କେନ୍ଦ୍ରର ଗୃହ ମାଲିକଙ୍କୁ ନୋଟିସ୍‌ ଜାରି କରାଯିବ ବୋଲି ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି କହିଛନ୍ତି। ଏସ୍‌ପି ବି.ଗଙ୍ଗାଧର କହନ୍ତି, ଏ ନେଇ ଏକ କମିଟି ଗଠନ କରାଯାଇ କେନ୍ଦ୍ରଗୁଡ଼ିକରେ ଚଢ଼ାଉ କରାଯିବ। ବେଆଇନ ପରିଚାଳନା କରୁଥିବା କେନ୍ଦ୍ର ଯାଞ୍ଚ କରିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।