ଆଳିରେ ଖୁଲମ୍‌ଖୁଲା ଚାଲିଛି ଚୋରାମଦ କାରବାର

ଆଳି,୪।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳରେ ଦିନକୁ ଦିନ ଚୋରାମଦ କାରବାର ଖୁଲମ୍‌ଖୁଲା ଭାବେ ବଢ଼ିଚାଲିଛି। ଚୋରାମଦ ବେପାରୀମାନେ ଦିନରାତି ଏହି କାରବାରରେ ଲିପ୍ତ ରହୁଥିବା ବେଳେ ଅବକାରୀ ବିଭାଗ ନିଦାବିଷ୍ଣୁ ସାଜିଛି। ଗାଁ ଗହଳିରେ ଥିବା ପାନ ଦୋକାନଠାରୁ ଆରମ୍ଭ କରି ଭୁସାମାଲ ଦୋକାନ ପର୍ଯ୍ୟନ୍ତ ସବୁଠି ଚୋରାମଦର ଖୁଲମ୍‌ଖୁଲା ବେପାର ଚାଲିଛି। ଗାଁରେ ଚୋରାମଦ ମିଳୁଥିବାରୁ ଗ୍ରାମ୍ୟ ପରିବେଶ ନଷ୍ଟ ହେବା ସହ ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି। ଆଳିରେ ଏହି କାରବାର ରୋକିବା ନିମନ୍ତେ ଅବକାରୀ କାର୍ଯ୍ୟାଳୟ ରହିଛି। ମାତ୍ର ତାହା ସବୁ ସମୟରେ ଖୋଲା ରହୁନି। ବିଭାଗ ଅଧିକାରୀଙ୍କ ଅନୁପସ୍ଥିତ ସୂଚାଇ ଦେଉଛି ଯେ, ଏହି କାରବାର ପଛରେ ବିଭାଗର ପ୍ରଚ୍ଛଦ ହାତ ରହିଛି। ଆଳି ବ୍ଲକରେ ଏକ ସରକାରୀ ଠିପି ବନ୍ଦ ମଦ ଦୋକାନ, ବିଅର ପାର୍ଲର ଓ ଗୋଟିଏ ଦେଶୀମଦ ଦୋକାନ ଥିବାବେଳେ ଜୁଆଣିଆରେ ବିଅର ପାର୍ଲର, ଗୋବିନ୍ଦପୁରରେ ଠିପି ବନ୍ଦ ମଦ ଦୋକାନ, ବାଟିପଡା ଠିପି ବନ୍ଦ ମଦ ଦୋକାନ, ସିଙ୍ଗିରି ମଦ ଦୋକାନ ରହିଛି। ଏଥିସହ ଗାଁ ଗହଳିରେ ଏବେ ଗୋଟିଏ ପରେ ଗୋଟିଏ ଚୋରାମଦ କାଉଣ୍ଟର ଖୋଲିବାରେ ଲାଗିଛି। ଆଳିରେ ଚୋରାମଦ କାରବାର ବନ୍ଦ କରିବାକୁ ଅବକାରୀ ବିଭାଗ ରହିଛି। ମାତ୍ର ବିଭାଗ ଅଧିକାରୀ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟାଳୟକୁ ଆସୁଛନ୍ତି। ହାତଗଣତି କେତେଜଣ ବ୍ୟବସାୟୀଙ୍କୁ ଟାର୍ଗେଟ କରି ସେମାନଙ୍କଠାରୁ ଚୋରାମଦ, ଗଞ୍ଜେଇ ଆଦି ଜବତ କରି ଜେଲ ପଠାଉଛନ୍ତି। ମାତ୍ର ପରେ ବ୍ୟବସାୟୀ ଜଣକ ଜେଲରୁ ମୁକୁଳି ଆସି ପୁଣି ସୁରୁଖୁରୁରେ ବ୍ୟବସାୟ କରୁଛନ୍ତି। ଗତ ମାସରେ ଆଳି ପୋଲିସ କୋଳିଡିହ, ବାଳକାଟି, ସିଙ୍ଗିରି ଆଦି ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଚୋରାମଦ, ଗଞ୍ଜେଇ ଜବତ କରିଥିଲା। ଅବକାରୀ ବିଭାଗ ମଧୁବନରେ ଚଢ଼ାଉ କରି ଜଣେ ବ୍ୟବସାୟୀଙ୍କ ନିକଟରୁ ଅଳ୍ପ ମଦ ଜବତ କରି ବାହାବା ନେବାରେ ଲାଗିଛି। ଏଠାରେ ପ୍ରଶ୍ନ ଉଠୁଛି, ଯଦି ପୋଲିସ ଚୋରାମଦ ଜବତ କରିବାରେ ସଫଳ ହେଉଛି ତେବେ ଅବକାରୀ ବିଭାଗ କାହିଁକି ଏହା କରୁନାହିଁ। ଅପରପକ୍ଷରେ କେଉଁ ସ୍ଥାନରୁ କେତେ ପରିମାଣର ମଦ ଜବତ କରାଗଲା ସେ ସମ୍ପର୍କରେ ଗଣମାଧ୍ୟମକୁ ଆଳି ଅବକାରୀ ବିଭାଗ କୌଣସି ସୂଚନା ଦେଉନାହିଁ।