ଗୁମର ଖୋଲି ସର୍ତ୍ତରେ ଆସିଲେ ଡେଭିଡ୍‌

ଭୁବନେଶ୍ୱର,୮।୧୨(ବ୍ୟୁରୋ): ଟାଟା ମୋଟର୍ସ କମ୍ପାନୀରେ ଚାକିରି ଦେବା ଆଳରେ ଠକେଇ କରି ଜେଲ ଯାଇଥିବା ଆକାଶ ପାଠକଙ୍କ ବ୍ୟକ୍ତିଗତ ସହାୟକ ଡେଭିଡ୍‌ ପିଟରଙ୍କୁ କ୍ରାଇବ୍ରାଞ୍ଚ ଟିମ୍‌ ସୋମବାର ଛାଡ଼ି ଦେଇଛି। ତାଙ୍କୁ ପୁଣେରୁ ଉଠାଇ ଆଣି ଭୁବନେଶ୍ୱରରେ ୩ଦିନ ଧରି ମାରାଥନ ଜେରା ଚାଲିଥିଲା। ତେବେ ଆକାଶଙ୍କ ସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଠକେଇ ଅଭିଯୋଗରେ ଜେଲ୍‌ରେ ଥିବା ଆଇଏଫ୍‌ଏସ୍‌ ଅଫିସର ତଥା ନିଲମ୍ବିତ ଅତିରିକ୍ତ ପିସିସିଏପ୍‌ ଅଭୟକାନ୍ତ ପାଠଙ୍କ କାର୍‌ନାମା ସମ୍ପର୍କରେ ଡେଭିଡ୍‌ ବହୁ ଚାଞ୍ଚଲ୍ୟକତର ତଥ୍ୟ କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି। ଏହାପରେ ତାଙ୍କୁ କେତେକ ସର୍ତ୍ତ ରଖି ଛାଡ଼ି ଦିଆଯାଇଛି। ଆବଶ୍ୟକ ପଡିଲେ ଡେଭିଡ୍‌ ତଦନ୍ତରେ ସହଯୋଗ କରିବେ। ଏଥିସହ ତାଙ୍କର ସମସ୍ତ ବୟାନର ଭିଡଓଗ୍ରାଫି କରାଯାଇଛି। ଏହାକୁ ପ୍ରମାଣ ଭାବେ ଗ୍ରହଣ କରାଯାଇଥିବା କ୍ରାଇମବ୍ରାଞ୍ଚର ଏଡିଜି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।
ପିଟରଙ୍କୁ ପଚରାଉଚରା ପରେ ପୃଷ୍ଠା ଲେଉଟିଲା ଭଳି ପାଠକ ପରିବାର ଓ ସେମାନଙ୍କ ଲିଙ୍କ୍‌ରେ ଜେଲ୍‌ ଯାଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପରିବାରର ଭିତିରି ଗୁମର ଖୋଲଛି। ପିଟର ଦେଇଥିବା ସୂଚନା ମୁତାବକ ଆକାଶଙ୍କ ଘରେ ଅଫିସ କାର୍ଯ୍ୟାଳୟ ଥିବାବେଳେ ଜୁମ୍‌ ଆପ୍‌ ଜରିଆରେ ଆଶାୟୀ ପ୍ରାର୍ଥୀଙ୍କ ଇଣ୍ଟରଭ୍ୟୁ କରାଯାଉଥିଲା। ସର୍ବେଶ୍ୱର ରାଏ ନାମକ ବ୍ୟକ୍ତି ସେମାନଙ୍କୁ ଆଶାୟୀ ପ୍ରାର୍ଥୀଙ୍କ ତଥ୍ୟ ଯୋଗାଉଥିବା ସେ ସୂଚନା ଦେଇଛନ୍ତି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୮୦ ଜଣଙ୍କ ଇଣ୍ଟରଭ୍ୟୁ ନିଆଯାଇଥିଲା। ମାର୍ଚ୍ଚ ୨୩ରେ ସେ ପୁଣେରୁ ଭୁବନେଶ୍ୱର ଆସିଥିବାବେଳେ ମନୀଷ କୁଲକର୍ଣ୍ଣୀ ନାମକ ବ୍ୟକ୍ତି ଚାର୍ଟର ଫ୍ଲାଇଟ୍‌ ବୁଝୁଥିଲେ। ୨୦୨୦ରେ ଉଭୟ ପରିବାର ୧୨ରୁ ୧୮ଥର ଚାର୍ଟର ଫ୍ଲାଇଟ୍‌ ବ୍ୟବହାର କରି ମୁମ୍ବାଇ, ପୁଣେ, ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନକୁ ଉଡୁଥିଲେ। ୮ ଜଣିଆ ଚାର୍ଟର ଫ୍ଲାଇଟ୍‌ ବୁକ୍‌ କରିବାକୁ ୮ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା। ଗତ ଦୀପାବଳୀରେ ୧୮ ଶିଟ୍‌ ବିଶିଷ୍ଟ ଚାର୍ଟରକୁ ୩୨ ଲକ୍ଷ ଟଙ୍କା ଭଡା ଦେଇ ଭୁବନେଶ୍ୱରରୁ ପୁଣେ ଓ ପରେ ମୁମ୍ବାଇକୁ ଯାଇ ତାଜ ହୋଟେଲରେ ରହିଥିଲେ। ଆକାଶ ପାଠକଙ୍କ ବିବାହ ପାଇଁ ୫ ଲକ୍ଷ ଟଙ୍କା ଅଗ୍ରିମ ଆକାରରେ ଦିଆଯାଇଥିଲା। ଫ୍ଲାଇଟ୍‌ ବୁକ୍‌ ବାବଦକୁ ସ୍କାଏ କିଙ୍ଗର ସମସ୍ତ ପେମେଣ୍ଟେ ବ୍ୟାଙ୍କ ଅକାଉଣ୍ଟ ମାଧ୍ୟମରେ ହେଉଥିଲା।
ଅନ୍ୟପକ୍ଷରେ ବିହାର ପାଟଣାରେ ପାଠକ ବାପ ପୁଅଙ୍କ ଘର ସମେତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି। ଅଭୟକାନ୍ତଙ୍କ ବେନାମୀ ସମ୍ପତ୍ତିର ଖୋଳତାଡ ଚାଲିଛି। ବିଧାୟକ ପ୍ରଦୀପଙ୍କ ନାମରେ ବ୍ରହ୍ମପୁର ଅଞ୍ଚଳରେ ଅଭିଯୋଗ ସଂଖ୍ୟ ବଢିବାରେ ଲାଗିଛି। ଗତ ୬ ମାସ ମଧ୍ୟରେ ନେଣଦେଣ ହୋଇଥିବା ୨.୪୮ କୋଟି ଟଙ୍କାକୁ ନେଇ ପ୍ରର୍ବତ୍ତନ ନିର୍ଦ୍ଦେଶାଳୟ (ଇଡି) ଖାଳତାଡ଼ ଜାରି ରଖିଥିବାବେଳେ ସୋମବାର ୨ ଜଣଙ୍କୁ ପଚରାଉଚରା କରାଯାଇଥିବା ସୂଚନା ମିଳିଛି।