କୁଷ୍ଠ ଆକ୍ରାନ୍ତଙ୍କୁ ମିଳିଲାନି କାନ୍ଧ

କାମାକ୍ଷାନଗର, ୧୫।୧୨(ଡି.ଏନ୍‌.ଏ.): କୁଷ୍ଠ ଆକ୍ରାନ୍ତ ବୋଲି ପର କରିଦେଲା ପରିବାର। ଛଟପଟ ହୋଇ ଜୀବନ ଚାଲିଗଲା ସିନା କେହି ଆହା କଲେନି। କେବଳ ଏତିକି ନୁହେଁ, ମରିବା ପରେ ଶେଷକୃତ୍ୟ କରିବାକୁ ରୋକ୍‌ଠୋକ୍‌ ମନା କରିଦେଲେ ଏକମାତ୍ର ଝିଅ। ଏଭଳି ସମୟରେ ଲୋକଙ୍କ ମଧ୍ୟରେ କୁଷ୍ଠ ଆକ୍ରାନ୍ତଙ୍କୁ ନେଇ ରହିଥିବା ଅନ୍ଧବିଶ୍ୱାସର ପରଦା ହଟାଇବାକୁ ଅଣ୍ଟା ଭିଡ଼ିଲେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଏବଂ କର୍ମଚାରୀ। ସମସ୍ତେ ମିଳିତ ଭାବେ ଶ୍ମଶାନରେ ଯଥାରୀତି ମୃତକଙ୍କ ଅନ୍ତିମ ସଂସ୍କାର କରି ମଣିଷପଣିଆ ଦେଖାଇଲେ। ଢେଙ୍କାନାଳ ଜିଲା କାମାକ୍ଷାନଗର ସହରରେ ମଙ୍ଗଳବାର ଘଟିଥିବା ଏଭଳି ଏକ ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

ଭୁବନ ବ୍ଲକ କହ୍ନେଇପାଳ ଗ୍ରାମର ପ୍ରମିଳା ସେଠୀ (୬୫) କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲେ। ଗ୍ରାମରେ ହୀନମନ୍ୟତାର ଶିକାର ହେବା ପରେ ସେ କାମାକ୍ଷାନଗର ଚାଲିଆସିଥିଲେ। କିଛିଦିନ ହେଲା ଉପଖଣ୍ଡ ଚିକିତ୍ସାଳୟ ପଛପାର୍ଶ୍ୱରେ ରହି ଚିକିତ୍ସିତ ହେଉଥିଲେ। ହେଲେ ମଙ୍ଗଳବାର ସକାଳେ ପ୍ରମିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ତାଙ୍କ ବିଷୟରେ ଖୋଳତାଡ଼ କରିବା ପରେ କାମାକ୍ଷାନଗରରେ ତାଙ୍କର କନ୍ୟା ରହୁଥିବା ଜଣାପଡ଼ିଥିଲା। ମା’ଙ୍କ ମୃତ୍ୟୁ ହୋଇଯାଇଥିବା ସମ୍ପର୍କରେ ସୂଚନା ଦେବା ସତ୍ତ୍ୱେ କେହି ମୃତଦେହ ନେବାକୁ ଆସି ନ ଥିଲେ। ଏହି ସୂଚନା ଉପଖଣ୍ଡ ଚିକିତ୍ସାଧିକାରୀ (ଏସ୍‌ଡିଏମ୍‌ଓ) ଡା. ସୁବାସ ଚନ୍ଦ୍ର ମଣ୍ଡଳଙ୍କ ନିକଟରେ ପହଞ୍ଚତ୍ଥିଲା। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ସେ ମର୍ମାହତ ହେବା ସହ ଶେଷକୃତ୍ୟ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ସ୍ଥାନୀୟ ବଜାରରୁ ଆବଶ୍ୟକ ସରଞ୍ଜାମ କ୍ରୟ କରିବା ସହ ଏନ୍‌ଏସିଠାରୁ ଗାଡ଼ି ଭଡ଼ା ନେଇ ଶ୍ମଶାନରେ ଶେଷକୃତ୍ୟ କରିଥିଲେ। ଏହି କାର୍ଯ୍ୟରେ ମେଡିକାଲ କର୍ମଚାରୀମାନେ ସହଯୋଗ କରିଥିଲେ।

ଏ ସଂକ୍ରାନ୍ତରେ ଏସ୍‌ଡିଏମ୍‌ଓ ମଣ୍ଡଳ କୁହନ୍ତି, ବ୍ୟାପକ ସଚେତନତା ସତ୍ତ୍ୱେ କୁଷ୍ଠ ରୋଗୀଙ୍କୁ ନେଇ ଲୋକଙ୍କ ମାନସିକତା ବଦଳୁନାହିଁ। ଗଁା ଗହଳିରେ କୁଷ୍ଠ ରୋଗୀଙ୍କୁ ନେଇ ଅନ୍ଧବିଶ୍ୱାସ ରହିଛି। ତେଣୁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଲେ କେହି ମୃତଦେହ ସଂସ୍କାର କରିବାକୁ ଆଗଭର ହେଉନାହାନ୍ତି। ଲୋକଙ୍କ ଏଭଳି ମାନସିକତାକୁ ଦୂର କରିବା ଲାଗି ସମ୍ପୃକ୍ତ ମହିଳାଙ୍କ ମୃତଦେହକୁ ସମ୍ମାନର ସହ ଶେଷକୃତ୍ୟ କରାଯାଇଛି ବୋଲି ଏସ୍‌ଡିଏମ୍‌ଓ ମଣ୍ଡଳ କହିଛନ୍ତି।