ଚେନ୍ନାଇ,୨୩।୫: ପତ୍ନୀ ଯଦି ସ୍ୱାମୀଙ୍କୁ ନଜଣାଇ କିମ୍ୱା ତାଙ୍କ ଅଗୋଚରରେ ଝିଅର ବିବାହ କରାଇ ଦିଅନ୍ତି, ତେବେ ତାହାକୁ ସ୍ୱାମୀଙ୍କ ପ୍ରତି ‘ମାନସିକ ନିର୍ଯାତନା’ ବୋଲି ଧରାଯିବ ଏବଂ ଏହି ଆଧାରରେ ବିବାହ ବିଚ୍ଛେଦ ହୋଇପାରିବ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ମାଡ୍ରାସ ହାଇକୋର୍ଟ ସ୍ୱାମୀଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ଏବଂ ତାଙ୍କୁ ଛାଡପତ୍ର ପାଇଁ ମଞ୍ଜୁରୀ ଦେଇଛନ୍ତି।
ଏହି ମାମଲାଟି ଏବେ ସମସ୍ତଙ୍କୁ ଚମକାଇ ଦେଇଛି। ୧୯୯୭ ମସିହାରେ ଉଭୟଙ୍କର ପାରିବାରିକ ସମ୍ମତିରେ ବାହାଘର ହୋଇଥିଲା ଏବଂ ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। ସ୍ୱାମୀ ଜଣକ ଚେନ୍ନାଇ ମହାନଗର ନିଗମ (Chennai Corporation) ରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି। ସ୍ୱାମୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପତ୍ନୀ ତାଙ୍କୁ ଦୀର୍ଘ ଦିନ ଧରି ମାନସିକ ସ୍ତରରେ ଅପମାନିତ କରି ଆସୁଥିଲେ।
ବିବାଦ ସେତେବେଳେ ଚରମ ସୀମାରେ ପହଞ୍ଚିଥିଲା, ଯେତେବେଳେ ପତ୍ନୀ ଝିଅକୁ ନେଇ ଘରୁ ଚାଲିଯାଇଥିଲେ ଏବଂ ସ୍ୱାମୀଙ୍କୁ କୌଣସି ସୂଚନା ନଦେଇ ବେଙ୍ଗାଲୁରୁରେ ଝିଅର ବାହାଘର କରାଇ ଦେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ତାଙ୍କ ସ୍ତ୍ରୀ ନିଜ ରକ୍ତ ସମ୍ପର୍କୀୟ ଭାଇ (ଅର୍ଥାତ ଝିଅର ମାମୁଁ) ଙ୍କ ସହ ଝିଅର ବାହାଘର କରାଇ ଦେଇଥିଲେ। ଉକ୍ତ ମାମୁଁଙ୍କ ବୟସ ଝିଅଠାରୁ ବହୁତ ବେଶୀ (୩୨ ବର୍ଷ) ଥିଲା ଏବଂ ସେ ପୂର୍ୱରୁ ଜଣେ ଛାଡ଼ପତ୍ର ପ୍ରାପ୍ତ ବ୍ୟକ୍ତି ଥିଲେ।
ଯେତେବେଳେ ବ୍ୟକ୍ତିଜଣକ ଏହି ଗୁପ୍ତ ବିବାହ ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ପତ୍ନୀଙ୍କ ସହ ରହିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଥିଲା। ଏହା ପରେ ସେ ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। କିନ୍ତୁ ଫ୍ୟାମିଲି କୋର୍ଟ ବ୍ୟକ୍ତିଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଏହା ବିରୋଧରେ ସେ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କର ଦାବି ଥିଲା ଯେ, ଏହି ବାହାଘରରେ ତାଙ୍କର ସମ୍ମତି ତ ଦୂରର କଥା, ତାଙ୍କୁ ଜଣାଇବା ମଧ୍ୟ ଉଚିତ ମନେ କରାଯାଇନଥିଲା, କାରଣ ପତ୍ନୀ ଜାଣିଥିଲେ ଯେ ଏଭଳି ସମ୍ପର୍କକୁ ସ୍ୱାମୀ କେବେବି ଗ୍ରହଣ କରିବେ ନାହିଁ।
ମାଡ୍ରାସ ହାଇକୋର୍ଟର ଜଷ୍ଟିସ ସି.ଭି. କାର୍ତ୍ତିକେୟନ ଏବଂ ଜଷ୍ଟିସ କେ. ରାଜଶେଖରଙ୍କ ଡିଭିଜନ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ। କୋର୍ଟ କହିଛନ୍ତି ଯେ, ଜଣେ ପିତାଙ୍କ ପାଇଁ ଏହା ଅତ୍ୟନ୍ତ କଷ୍ଟଦାୟକ ଏବଂ ଗଭୀର ମାନସିକ ଆଘାତ ସଦୃଶ ଯେ, ତାଙ୍କର ବାଲିଗା ଝିଅର ବାହାଘର ତାଙ୍କ ଅଗୋଚରରେ ଗୁପ୍ତଭାବେ କରାଯାଇଛି।
ପରିବାର ଅଦାଲତ (Family Court) ର ନିଷ୍ପତ୍ତିକୁ ଭୁଲ ଦର୍ଶାଇ ହାଇକୋର୍ଟ ତାକୁ ରଦ୍ଦ କରିଦେଇଛନ୍ତି। ଏହାସହ ସୁପ୍ରିମକୋର୍ଟଙ୍କ ପ୍ରସିଦ୍ଧ ‘ସମର ଘୋଷ ବନାମ ଜୟା ଘୋଷ (୨୦୦୭)’ ମାମଲାର ଉଦାହରଣ ଦେଇ ହାଇକୋର୍ଟ କହିଛନ୍ତି ଯେ, ଜୀବନସାଥୀଙ୍କୁ କ୍ରମାଗତ ଭାବେ ଗଭୀର ମାନସିକ କଷ୍ଟ ଦେବା ‘କ୍ରୂରତା’ (Cruelty) । ତେଣୁ ସ୍ୱାମୀ ଆଇନଗତ ଭାବେ ବିବାହ ବିଚ୍ଛେଦ ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ।