ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି । ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ବ୍ରାହ୍ମଣ ସାହିର ନିତ୍ୟାନନ୍ଦ ଦୀକ୍ଷିତଙ୍କ ମଧ୍ୟମ ପୁତ୍ର ଅଶ୍ଵିନୀ ଦୀକ୍ଷିତ ବେଙ୍ଗାଲୁରୁର ଏକ କମ୍ପାନୀର ପଦସ୍ଥ ଅଧିକାରୀ ଭାବେ କାମ କରନ୍ତି । ଗତ ପ୍ରାୟ ୮ ବର୍ଷ ପୂର୍ବେ ସେ ଗାଁ ନିକଟ ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମର ଜଣେ ଯୁବତୀଙ୍କ ସହ ଅଶ୍ଵିନୀଙ୍କ ବିବାହ ଖୁବ୍ ଧୁମ୍ ଧାମରେ ହୋଇଥିଲା। ସ୍ବାମୀ ଓ ଶ୍ବଶୁର ଘର ଲୋକଙ୍କ ଦାବି ପ୍ରକାରେ ଝିଅର ବାପା ନଗଦ ୧ ଲକ୍ଷ ଟଙ୍କା, ବାଇକ ପାଇଁ ୧ ଲକ୍ଷ ଏବଂ ଅନ୍ୟାନ୍ୟ ସରଞ୍ଜାମ କ୍ରୟ ପାଇଁ ୧ ଲକ୍ଷ ସମୁଦାୟ ୩ ଲକ୍ଷ ଟଙ୍କା ଓ ସମସ୍ତ ଆସବାବ ପତ୍ର ସହ ଝିଅ କୁ ୧୦ ଭରି ସୁନା ଅଳଙ୍କାର ଓ ଜ୍ବାଇଁ ଙ୍କୁ ପ୍ରାୟ ୨ ଭରି ଓଜନର ସୁନା ଚେନ୍ ଓ ମୁଦି ଦେଇଥିଲେ।କିଛି ଦିନ ସ୍ତ୍ରୀସ୍ବାମୀ ମଧ୍ୟରେ ଦାମ୍ପତ୍ୟ ଜୀବନ ହସ ଖୁସିରେ କଟିଥିଲା। ସ୍ବାମୀ ଅଶ୍ଵିନୀ ତାଙ୍କ ସ୍ତ୍ରୀଙ୍କୁ ନେଇ କର୍ମକ୍ଷେତ୍ର ବେଙ୍ଗାଲୁରୁ ଯାଇଥିଲେ। ସେଠାରେ ଏକ ଭଡ଼ା ଘରେ ସେମାନେ ରହିଥିଲେ। ଘର ଭଡ଼ା ଓ ଅନ୍ୟାନ୍ୟ ସରଞ୍ଜାମ କିଣିବା ପାଇଁ ସ୍ବାମୀ କହିବାରୁ ଝିଅ ର ବାପା ପୁଣି ତାଙ୍କୁ ୧ ଲକ୍ଷ ଟଙ୍କା ପଠାଇ ଥିଲେ। ଝିଅଙ୍କ ବ୍ୟାଙ୍କ୍ ଆକାଉଣ୍ଟ ରେ ବାପା ୧ ଲକ୍ଷ ଟଙ୍କା ଜମା କରିଥିଲେ। ସ୍ତ୍ରୀ ସେଠାରେ ପ୍ରାୟ ୪ ବର୍ଷ ରହିବା ପରେ ବେଙ୍ଗାଲୁରୁରେ ରହୁଥିବା ଅନ୍ୟ ଜାତିର ଏକ ଝିଅକୁ ତାଙ୍କ ସ୍ବାମୀ ପୂର୍ବରୁ ବିବାହ କରିଛନ୍ତି ବୋଲି ଜାଣିବାକୁ ପାଇଥିଲେ । ଉଭୟଙ୍କ ଔରସରୁ ଏକ ପୁତ୍ର ସନ୍ତାନ ଥିବା ଜାଣିବାକୁ ପାଇଥିଲେ। ସ୍ତ୍ରୀ ଏନେଇ ସ୍ବାମୀଙ୍କୁ ପଚାରିବାରୁ ସ୍ବାମୀ ଅଶ୍ଵିନୀ ସେ କଥାକୁ ଅସ୍ବୀକାର କରିଥିଲେ। କିଛି ଦିନ ପରେ ଉକ୍ତ ଝିଅ ତାଙ୍କ ବେଙ୍ଗାଲୁରୁ ଘରେ ପହଞ୍ଚି ହଙ୍ଗାମା କଲେ। ତାଙ୍କ ମଙ୍ଗଳସୂତ୍ର ଛଡାଇ ନେବା ସହ ତାଙ୍କୁ ବିଭିନ୍ନ ଆପତ୍ତିଜନକ ଭାଷାରେ ଗାଳି କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ପରେ ସ୍ବାମୀ ଉକ୍ତ ଝିଅ ସହ ମିଶି ତାଙ୍କୁ ମାଡ଼ ମାରିବା ସହ ସମସ୍ତଙ୍କ ସାମ୍ନା ରେ ଅପମାନିତ କରି ଆତ୍ମହତ୍ୟା କରିବାକୁ ଉଭୟେ କହିଥିଲେ ।ଏନେଇ ସେ ତାଙ୍କ ମାଆ, ବାପା ଓ ଭାଇଙ୍କୁ ଫୋନ କରି ଜଣାଇଥିଲେ। ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ କଳହ ହୋଇଥିଲା। ସ୍ବାମୀ କୌଶଳ କରି ସ୍ତ୍ରୀଙ୍କୁ ଆଣି ତାଙ୍କ ବାପ ଘରେ ଛାଡ଼ି ଦେଇଥିଲେ।ଉଭୟ ପରିବାର ଲୋକଙ୍କ ମଧ୍ୟରେ ଏନେଇ ତୀବ୍ର ବିବାଦ ହୋଇଥିଲା। ଘଟଣାର ସମାଧାନ ପାଇଁ ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ଭଦ୍ର ଲୋକମାନେ ଅନେକ ଥର ବୁଝାମଣା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଠୋସ ସମାଧାନ ହୋଇପାରିନଥିଲା। ଏନେଇ ସେ ଗତ ଏପ୍ରିଲ ୪ ତାରିଖରେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିବା କହିଛନ୍ତି । ଭୀଷ୍ମଗିରି ଗ୍ରାମ ବଡ଼ଦାଣ୍ଡ ସାହିର ଏକ ଭଡ଼ା ଘରେ ରହୁଥିବା ବାପାଙ୍କ ପାଖରେ ଅଶ୍ଵିନୀଙ୍କ ସ୍ତ୍ରୀ ରହୁଛନ୍ତି । କିଛିଦିନ ପୂର୍ବେ ତାଙ୍କ ଦାଦା ଶ୍ଵଶୁର କୁନି ଦୀକ୍ଷିତ ମୃତ୍ୟୁବରଣ କରିଥିବା ରୁ ତାଙ୍କ ଶୁଦ୍ଧିକ୍ରିୟା ପାଇଁ ସେ ବୁଧବାର ତାଙ୍କ ଶ୍ଵଶୁର ଘରକୁ ଯାଇ ମୃତକଙ୍କ ଘଟ ନିକଟରେ ମୁଣ୍ଡିଆ ମାରିବା ବେଳେ ତାଙ୍କୁ ଶ୍ବଶୁର ନିତ୍ୟାନନ୍ଦ, ଦେଢ଼ଶୁର ଅଶୋକ ଦୀକ୍ଷିତ ଗାଳି ଗୁଲଜ କରି ସେଠାରୁ ଘୋଷାଡି ଟାଣି ଘର ବାହାରକୁ ନେଇଯାଇ ଧମକ ଦେଇଥିଲେ । ଏହାଦେଖି ବହୁ ସଂଖ୍ୟକ ଗ୍ରାମବାସୀ ସେଠାରେ ପହଞ୍ଚି ଶ୍ବଶୁର ନିତ୍ୟାନନ୍ଦ ଓ ତାଙ୍କ ପୁଅ ଅଶୋକଙ୍କୁ ଗାଳି ଗୁଲଜ କରି ପ୍ରତିବାଦ କରିଥିଲେ । ନ୍ୟାୟ ପାଇଁ ଅଶ୍ଵିନୀଙ୍କ ସ୍ତ୍ରୀ ବ୍ରହ୍ମପୁରରୁ ଆସିଥିବା କିଛି ମହିଳା ସ୍ବେଛାସେବୀ ଏବଂ କିଛି ଗ୍ରାମବାସୀଙ୍କ ସହଯୋଗ କ୍ରମେ ଶ୍ବଶୁର ଘର ସମ୍ମୁଖରେ ବୁଧବାର ଠାରୁ ଧାରଣା ରେ ବସି ରହିଥିଲେ। ଗୁରୁବାର ସନ୍ଧ୍ୟା ପ୍ରାୟ ସାଢେ ୬ ଟାରେ ଦିଗପହଣ୍ଡି ଥାନା ଏଏସଆଇ ମନୋଜ ସି, ଝୁନୁ ମାଝୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସମାଧାନର ନିଷ୍କର୍ଷ ନ ବାହାରିବାରୁ ଉଭୟ ପକ୍ଷଙ୍କୁ ଥାନାକୁ ଡ଼କାଇ ନେଇଥିବା ଜଣାପଡିଛି।