ଘରେ ଶ୍ୱଶୁରଙ୍କୁ ତାଲା ପକାଇ ବୋହୂ ନିଖୋଜ ଘଟଣା: ନାବାଳକଙ୍କୁ ନେଇ ଫେରାର ଥିବା ଅଭିଯୋଗ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ରାଜଧାନୀରେ ଶ୍ୱଶୁରଙ୍କୁ ବାହାର ପଟୁ ତାଲା ପକାଇ ଘରୁ ୧୦ ଲକ୍ଷ ଟଙ୍କାର ସୁନାଗହଣା ସହ ଦେଢ଼ ଲକ୍ଷ ଟଙ୍କା ନେଇ ବୋହୁ ଚମ୍ପଟ ମାରିବା ଘଟଣା ଭିନ୍ନ ମୋଡ଼ ନେଇଛି। ସ୍ତ୍ରୀ ନିଖୋଜ ହୋଇଥିବା ନେଇ ସ୍ବାମୀ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ନୟାଗଡ଼ ଜିଲା ଦଶପଲ୍ଲା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଘରୁ ପଳାଇଥିବା ମହିଳା ଜଣଙ୍କ ନିଖୋଜ ନୁହେଁ ବରଂ ଜଣେ ନାବାଳକଙ୍କୁ ଧରି ପଳାଇଥିବା କୁହାଯାଉଛି। ଏନେଇ ନାବାଳକଙ୍କ ପରିବାର ଗଣମାଧ୍ୟମ ଆଗରେ କହିଛନ୍ତି, ମୋ ପୁଅକୁ ସମ୍ପୃକ୍ତ ମହିଳା ଅପହରଣ କରିଛନ୍ତି। ଏପରିକି ତାଙ୍କର ଭବିଷ୍ୟତ ନଷ୍ଟ କରିଛି। ମୋ ପାଠ ପଢୁଆ ପିଲାକୁ ସୁରକ୍ଷିତ ଉଦ୍ଧାର କରି ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ ନାବାଳକଙ୍କ ମା’ ଅନୁରୋଧ କରିଛନ୍ତି। ଅପରପକ୍ଷରେ ମହିଳାଙ୍କ ପରିବାର ନାବାଳକଙ୍କ ପରିବାରଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି। ଫଳରେ ଦୁଇ ପରିବାର ମଧ୍ୟରେ ଯୁକ୍ତିତର୍କ ଲାଗିଥିବା ଜଣାପଡ଼ିଛି।
ସୂଚନାନୁସାରେ, ଏୟାରପୋର୍ଟ ଥାନା ଅଞ୍ଚଳରେ ନଭେମ୍ବରରେ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ, ସେ ଘରେ ଅନୁପସ୍ଥିତ ଥିବାବେଳେ ତାଙ୍କ ବାପାଙ୍କୁ ସ୍ତ୍ରୀ ବାହାର ପଟୁ ତାଲା ପକାଇ ଘରୁ ଦେଢ଼ଲକ୍ଷ ଟଙ୍କା, ସୁନାଗହଣା ଆଦି ନେଇ ନିଖୋଜ ହୋଇଯାଇଛନ୍ତି। ଏପରି କି, ନୟାଗଡ଼ର ଜଣେ ପୁରୁଷ ବନ୍ଧୁଙ୍କ ସହ ଫେରାର ହୋଇଯାଇଥିବା ଅଭିଯୋଗ ଆଣିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିବା ସହ ପାରିବାରିକ ଘଟଣା ହୋଇଥିବାରୁ ଏ ବିଷୟରେ କୌଣସି ସୂଚନା ଦେବାକୁ ମନା କରିଦେଇଛି।