ପଦ୍ମପୁର,୩୦ା୫(ପ୍ରଦୀପ୍ତ ଦାଶ):କାହିଁ କେଉଁ କାଳରୁ ପ୍ରାକୃତିକ ବିପର୍ଯ୍ୟୟ ରୋକିବାରେ ତାଳଗଛର ଗୁରୁତ୍ୱ ଭୂମିକା ବହନ କରିଆସୁଛି। ବାତ୍ୟା ସମୟରେ ତାଳଗଛ ଭୟଙ୍କର ପବନ ଓ ବଜ୍ରପାତକୁ ବହୁ ପରିମାଣରେ ରୋକିଥାଏ। ପରିବେଶ ସୁରକ୍ଷା ଓ ସନ୍ତୁଳନର ଅଭାବ ଯୋଗୁ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି। ଏପରି ସ୍ଥିତିରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ସହାୟକ ତାଳଗଛ ଲୋପ ପାଇବାରେ ଲାଗିଛି। ଫଳରେ ପ୍ରାକୃତିକ ବିପର୍ଯ୍ୟୟ ମାତ୍ର ବଢିଚାଲିଛି। ଗଛ କାଟିବା ଯୋଗୁ ପ୍ରକୃତି ଉପରେ ଗୁରୁତର ପ୍ରଭାବ ପଡୁଛି। ପ୍ରକୃତିର କୋପରେ ବାତ୍ୟା ବନ୍ୟା ହେବା ସହିତ ତାପମାତ୍ରା ମଧ୍ୟ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଅଞ୍ଚଳରେ ତାଳଗଛ ରୋପଣ ପାଇଁ ‘ତାଳମିଶନ’ ଆରମ୍ଭ କରିଥିଲେ। କିନ୍ତୁ ସରକାରୀ ଯୋଜନା ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଗଛଗୁଡ଼ିକ ଲୋପ ପାଇବାରେ ଲାଗିଛି। ତାଳଗଛ କେବଳ ପ୍ରାକୃତିକ ସୁରକ୍ଷା ନୁହେଁ, ଓଡ଼ିଆ ସଂସ୍କୃତିର ମଧ୍ୟ ପ୍ରତୀକ। ବିଶେଷ କରି ରଜ, ସାବିତ୍ରୀ ପର୍ବରେ ତାଳସଜକୁ ଭୋଗ ଭାବେ ବ୍ୟବହାର କରାଯାଇଥାଏ। ଗ୍ରୀଷ୍ମ ସମୟରେ ତାଳସଜ ପଥଚାରୀଙ୍କ ଭୋକଶୋଷ ମେଣ୍ଟାଇଥାଏ। ତାଳପତ୍ରରେ ବିଞ୍ଚଣା, ଛତା ଭଳି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ହୋଇଥାଏ। ପାଚିଲା ତାଳରୁ ମଧ୍ୟ ବିଭିନ୍ନ ସୁସ୍ବାଦୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହୋଇଥାଏ। ମାତ୍ର ଆଧୁନିକତାର ଛାପରେ ବର୍ତ୍ତମାନର ପିଢ଼ି ଏହି ପ୍ରକୃତି ଦତ୍ତ ଖାଦ୍ୟ ଖାଉ ନାହାନ୍ତି। ମାତ୍ର ଜୀବଜଗତର ସୁରକ୍ଷା ପାଇଁ ପ୍ରକୃତିର ସୁରକ୍ଷା ଅତ୍ୟାବଶ୍ୟକ ବୋଲି ପରିବେଶବିତ୍ମାନେ ମତ ଦେଉଥିବା ବେଳେ ଧୀରେ ଧୀରେ କିନ୍ତୁ ପଦ୍ମପୁର ଅଞ୍ଚଳରେ ତାଳଗଛ କମିବାରେ ଲାଗିଛି। ବିଶେଷକରି ଗୋଚର, ଅନାବାଦୀ ଜମିର ଜବରଦଖଲ ବେଆଇନ ଇଟାଭାଟି ଯୋଗୁ ତାଳଗଛ କମିବାରେ ଲାଗିଛି। ତେଣୁ ରାଜ୍ୟ ସରକାର ବ୍ୟାପକ ମାତ୍ରାରେ ତାଳଗଛ ରୋପଣ କରି ଏହାର ରକ୍ଷଣାବେକ୍ଷଣ କରି ବହୁ ଚର୍ଚ୍ଚିତ ‘ତାଳମିଶନ’ କୁ ସଫଳ କରିବା ପାଇଁ ସାଧାରଣରେ ଦାବି ହେଉଛି।
Dharitri – Odisha’s No.1 Odia Daily

