ନୂଆଦିଲ୍ଲୀ,୯ା୩(ପି.ଟି.): ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ରବିବାର ଏକ ଡାର୍କଓ୍ବେବ୍ ଭିତ୍ତିକ ନିଶାଦ୍ରବ୍ୟ ଚୋରାକାରବାର ନେଟ୍ଓ୍ବର୍କର ପର୍ଦ୍ଦାଫାଶ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ବହୁ ପରିମାଣର ନିଷିଦ୍ଧ ନିଶାଦ୍ରବ୍ୟ ଜବତ କରିଛି, ଯାହାର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ୫ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ସାଧାରଣତଃ ରେଭ୍ ପାର୍ଟିଗୁଡ଼ିକରେ ଏହି ଡ୍ରଗ୍ସ ବ୍ୟବହୃତ ହୋଇଥାଏ। ଗତବର୍ଷ ଜାନୁଆରୀରୁ ଏହି ନେଟ୍ଓ୍ବର୍କ ଜରିଆରେ ଦେଶର ବିଭିନ୍ନ ସହରକୁ ୧,୦୦୦ରୁ ଊର୍ଦ୍ଧ୍ୱ ଥର ଡ୍ରଗ୍ସ ପଠାଯାଇଛି। ‘ଟିମ୍ କଳ୍କୀ’ କୋଡ୍ ନାମରେ ଏହି ନେଟ୍ଓ୍ବର୍କ ଚାଲିଥିଲା ଏବଂ ଅପରାଧ ବା ବେଆଇନ ଡ୍ରଗ୍ସ ଅର୍ଥ ଲୁଚାଇବା ପାଇଁ କ୍ରିପ୍ଟୋ କରେନ୍ସି ବ୍ୟବହାର କରାଯାଉଥିଲା ବୋଲି ଏନ୍ସିବି କହିଛି।
ଏନ୍ସିବି ମୋଟ ୨,୩୩୮ ଏଲ୍ଏସ୍ଡି ବ୍ଲୋଟ୍, ୧୬୦ ଏମ୍ଡିଏମ୍ଏ ପିଲ୍, ୭୩ ଗ୍ରାମ୍ ଚରସ୍, ୩.୬୪ ଗ୍ରାମ ଆମ୍ଫେଟାମାଇନ୍ ଏବଂ ୩.୬ କେ.ଜି. ତରଳ ଏମ୍ଡିଏମ୍ଏକୁ ୧୩ଟି ପାର୍ସଲରୁ ଜବତ କରିଛି। ଏହା ବ୍ୟତୀତ ୨ଟି ପାର୍ସଲ ନେଦରଲାଣ୍ଡସ୍ରୁ ଆସିଥିବା ଜଣାପଡ଼ିଛି। ନିଶାଦ୍ରବ୍ୟ ଚୋରାଚାଲାଣକାରୀମାନେ ଡାର୍କନେଟ୍ ମାର୍କେଟ ଏବଂ ଏନ୍କ୍ରିପ୍ଟେଡ୍ ଯୋଗାଯୋଗ ପ୍ଲାଟ୍ଫର୍ମକୁ ଅଧିକ ବ୍ୟବହାର କରୁଥିବା ଏଥିରୁ ସ୍ପଷ୍ଟ ହୋଇଛି। ନିଶାଦ୍ରବ୍ୟ ଅପରାଧର ୨ ଅଭ୍ୟାସଗତ ଅପରାଧୀ ଅନୁରାଗ ଠାକୁର ଏବଂ ବିକାଶ ରାଠିଙ୍କୁ ଗିରଫ କରାଯାଇଛି। ଏମାନେ ନେଦରଲାଣ୍ଡସ୍, ପୋଲାଣ୍ଡ, ଜର୍ମାନୀର ଅନ୍ତର୍ଜାତୀୟ ଡାର୍କନେଟ୍ ଭେଣ୍ଟରଙ୍କଠାରୁ ଏଲ୍ଏସ୍ଡି ଏବଂ ଏମ୍ଡିଏମ୍ଏ ଆଣୁଥିଲେ ବୋଲି ଏନ୍ସିବି କହିଛି। ଡାର୍କଓ୍ବେବ୍ ଫୋରମ ଡ୍ରେଡ୍ ଏବଂ ସେସନ୍ ମେସେଜିଂ ଆପ୍ଲିକେଶନ ଭଳି ଏନ୍କ୍ରିପ୍ଟେଡ୍ ପ୍ଲାଟ୍ଫର୍ମ ଜରିଆରେ ସେମାନେ ଭାରତୀୟ ଗ୍ରାହକଙ୍କଠାରୁ ଅର୍ଡର ସଂଗ୍ରହ କରୁଥିଲେ।

